ନୂଆଦିଲ୍ଲୀ: ୪୨ତମ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା (ଆଇଆଇଟିଏଫ୍)-୨୦୨୩ରେ ଆଜି ଓଡ଼ିଶା ରାଜ୍ୟ ଦିବସ ସମାରୋହ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ଆଇଟିପିଓ ପରିସରସ୍ଥିତ ଆମ୍ପି ଥିଏଟର-୧ରେ ଓଡ଼ିଶାର କଳା ଓ ସଂସ୍କୃତି ସଂବନ୍ଧୀୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା-୨୦୨୩ର ସ୍ବତନ୍ତ୍ର ସଂଖ୍ୟା ଲୋକାର୍ପିତ ହେବା ସହିତ ଭୁବନେଶ୍ବର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର କଳାକାରମାନଙ୍କ ଦ୍ବାରା ଓଡ଼ିଶୀ, କୋରାପୁଟ ଜିଲ୍ଲା ବୈପାରିଗୁଡ଼ାର ଆଦର୍ଶ ଆଦିବାସୀ ନୃତ୍ୟକଳା ଅନୁଷ୍ଠାନର କଳାକାରମାନଙ୍କ ଦ୍ବାରା ଧରୁଆ ଜନଜାତି ସଂପ୍ରଦାୟର ବିର୍ଲି ନୃତ୍ୟ, ବରଗଡ଼ ବଉଳ ଝୁପା ସାଂସ୍କୃତିକ ଅନୁଷ୍ଠାନର କଳାକାରମାନଙ୍କ ଦ୍ବାରା ଡାଲଖାଇ ନୃତ୍ୟ ସହିତ ଦେଶ ବିଦେଶରେ ହରହର ଶମ୍ଭୁ ଗୀତକୁ ନେଇ ଚର୍ଚ୍ଚିତ ଅଭିଲିପ୍ସା ପଣ୍ଡାଙ୍କ ସଙ୍ଗୀତ ପରିବେଷଣ କରାଯାଇଥିଲା।
ପ୍ରଗତି ମଇଦାନରେ ଆୟୋଜିତ ଓଡ଼ିଶା ରାଜ୍ୟ ଦିବସ ସମାରୋହରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ, ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପର୍ଯ୍ୟଟନ ନିଗମର ଅଧ୍ୟକ୍ଷ ଲେନିନ ମହାନ୍ତି ଓ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦିକା କସ୍ତୁରୀ ମହାପାତ୍ର, ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଓଡ଼ିଶା ରାଜ୍ୟ ଦିବସ ସମାରୋହର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରବାସୀ ଓଡ଼ିଆଙ୍କ ସମେତ ଦେଶ ବିଦେଶର ଦର୍ଶକମାନେ ଭରପୁର ଉପଭୋଗ କରିଥିଲେ। ଉଲ୍ଲେଖଯୋଗ୍ୟ, ଆଇଆଇଟିଏଫ୍-୨୩ରେ ବିଭିନ୍ନ ରାଜ୍ୟମାନଙ୍କ ଦ୍ବାରା ସେମାନଙ୍କର ରାଜ୍ୟ ସଂପର୍କିତ ପାଭିଲିୟନ ସ୍ଥାପନ କରାଯିବା ସହିତ ମେଳାର ଅବଧିରେ ରାଜ୍ୟ ଦିବସ ପାଳନ କରାଯାଇଥିଲା। ଓଡ଼ିଶା ପାଭିଲିୟନକୁ ଚଳିତ ମାସ ୧୪ ତାରିଖରେ ଉଦ୍ଘାଟନ କରାଯାଇଥିବାବେଳେ ଆଜି ଠାରୁ ପାଭିଲିୟନ ଚଳିତ ମାସ ୨୭ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଛି।