ନୂଆଦିଲ୍ଲୀ : ଭାରତ କ୍ବାଡର ଏକ ଗୁରୁତ୍ବପୂର୍ଣ୍ଣ ସଦସ୍ୟ ଦେଶ ବୋଲି ଆମେରିକା କହିଛି । ନିକଟରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ କ୍ବାଡ୍ ବୈଠକର କିଛି ଦିନ ପରେ ଆମେରିକା ପକ୍ଷରୁ ଏହି ବୟାନ ଆସିଛି ।
ହ୍ବାଇଟ ହାଉସର ଡେପୁଟି ପ୍ରେସ ସଚିବ କ୍ୟାରିନ ଜିନ ପିଅର କହିଛନ୍ତି ଯେ ଭାରତ କ୍ବାଡର ଏକ ଚାଳକ ଦେଶ । ଆମେରିକାର ଏକ ସମଭାବାପନ୍ନ ସହଯୋଗୀ ଦେଶ । ଆଞ୍ଚଳିକ ଅଭିବୃଦ୍ଧି ଓ ବିକାଶ ପାଇଁ ଏକ ଇଂଜିନ । ଦକ୍ଷିଣ ଏସିଆ ଓ ଭାରତ ମହାସାଗର ଅଂଚଳରେ ଏକ ପ୍ରଭାବଶାଳୀ ଦେଶ ତଥା ଦକ୍ଷିଣ-ପୂର୍ବ ଏସିଆ ସହିତ ଏହାର ଭଲ ସଂପର୍କ ରହିଛି ।
ଗତ ସପ୍ତାହରେ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣଠାରେ ଅନୁଷ୍ଠିତ କ୍ବାଡ୍ ସମ୍ମିଳନୀରେ ଚୀନ ଓ ପାକିସ୍ତାନକୁ କଡା ବାର୍ତ୍ତା ଦିଆଯାଇଥିଲା । ଏକ ମୁକ୍ତ ଇଣ୍ଡୋ-ପାସିଫିକ (ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର) ସପକ୍ଷରେ କ୍ବାଡ୍ ସଦସ୍ୟ ଦେଶମାନେ ଏକମତ ହୋଇଥିଲେ । ଏହି ବୈଠକରେ ଭାରତର ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର, ଆମେରିକାର ପରରାଷ୍ଟ୍ର ସଚିବ ଆନ୍ଥୋନି ବ୍ଲିକେନ, ଜାପାନର ବିଦେଶ ମନ୍ତ୍ରୀ ଓସିମାସା ହେୟାସି, ଅଷ୍ଟ୍ରେଲିଆର ବିଦେଶ ମନ୍ତ୍ରୀ ହନ ମାରିସ ପାଇନ ଯୋଗ ଦେଇଥିଲେ । ସୂଚନାଯୋଗ୍ୟ ଯେ, କ୍ବାଡ୍ ହେଉଛି ୪ଟି ଦେଶ ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନର ଏକ ମେଣ୍ଟ । ଏସିଆରେ ଚୀନର ପ୍ରଭାବକୁ କ୍ଷୁର୍ଣ୍ଣ କରିବାକୁ ଏହି ମେଣ୍ଟ ଗଠନ କରାଯାଇଛି ।