ନୂଆଦିଲ୍ଲୀ: ଭାରତ ବିଶ୍ବର ଅନ୍ୟତମ ଔଷଧ ନିର୍ମାତା ବନିବା ହେଉଛି ୭୫ ବର୍ଷ ଭିତରେ ଦେଶ ପାଇଁ ଏକ ବଡ଼ ସଫଳତା ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ)ର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ୍ କହିଛନ୍ତି। ଏକ ଟିଭି ଚାନେଲରେ ଡ. ସ୍ବାମୀନାଥମନ କହିଲେ ଯେ, ଭାରତ ଇତିମଧ୍ୟରେ ଚାରିଟି ବଡ଼ ସଫଳତା ହାସଲ କରିଛି। ପୋଲିଓ ନିର୍ମୂଳନ ଓ ଅନ୍ୟ କେତେକ ଟିକା ଦ୍ବାରା ନିବାରଣଯୋଗ୍ୟ ରୋଗରୁ ମୁକ୍ତିଠାରୁ ଆରମ୍ଭକରି ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା ଏବଂ ବିଭିନ୍ନ ଔଷଧ ଓ ଟିକା ନିର୍ମାଣ କରି ବିଶ୍ବକୁ ଯୋଗାଇବା ଦ୍ବାରା ଭାରତ ବିଶ୍ବର ଅନ୍ୟତମ ଔଷଧ ନିର୍ମାତାରେ ପରିଣତ ହୋଇଛି।
ତେବେ ବୈଜ୍ଞାନିକ ଜଣକ ସ୍ବୀକାର କରିଥିଲେ ଯେ, କୋଭିଡ୍-୧୯ ମହାମାରୀ ଭାରତ ସମେତ ପ୍ରାୟ ପ୍ରତ୍ୟେକ ଦେଶରେ ଜରୁରୀ ସ୍ବାସ୍ଥ୍ୟସେବା ପ୍ରଦାନକୁ ପ୍ରଭାବିତ କରିଥିଲା। ଯକ୍ଷ୍ମା ଓ ଅନ୍ୟ ଅଣସଂକ୍ରାମକ ରୋଗ ଚିକିତ୍ସା ଏବଂ ଶିଶୁ ଜନ୍ମର ପୂର୍ବ ଓ ପର ସ୍ବାସ୍ଥ୍ୟସେବା ବ୍ୟାହତ ହୋଇଥିଲା। ତଥାପି ଭାରତ ଏ ସମସ୍ୟାର ମୁକାବିଲା କରିବା ସହ ବିଦେଶକୁ ଟିକା ଓ କେତେକ ଜରୁରୀ ଔଷଧ ରପ୍ତାନି କରିପାରିଥିଲା। ୟୁନିସେଫ୍ ଅନୁସାରେ, ଭାରତରେ ଅପପୁଷ୍ଟି ଜନିତ ରୋଗ ଏକ ବଡ଼ ସମସ୍ୟା ହୋଇଆସିଛି। ୫ ବର୍ଷରୁ କମ୍ ଶିଶୁ ମୃତ୍ୟୁର ଏହା ଏକ ବଡ଼ କାରଣ। କୋଭିଡ୍-୧୯ ଏହି ସମସ୍ୟାକୁ ଆହୁରି ବଢ଼ାଇ ଦେଇଥିଲା। କୋଭିଡ୍-୧୯ ଯୋଗୁ ଲୋକଙ୍କ ରୋଜଗାର କମିଗଲା ବା ବନ୍ଦ ହୋଇଗଲା। ଫଳରେ ଅପପୁଷ୍ଟି ଓ ଦାରିଦ୍ର୍ୟ ସହ ସମ୍ବନ୍ଧିତ ଆଉ କେତେକ ରୋଗ ଜନିତ ସମସ୍ୟା ବଢ଼ିଗଲା। ଏହାକୁ ଆମେ ଗୁରୁତ୍ବର ସହ ବିଚାର କରି ପଦକ୍ଷେପ ନେବା ଆବଶ୍ୟକ ବୋଲି ଡ. ସ୍ବାମୀନାଥନ୍ କହିଥିଲେ। ଏବେ ଭାରତରେ କରୋନା ସଂକ୍ରମଣ ହ୍ରାସ ପାଇଚାଲିଛି ଏବଂ ଗତ ସପ୍ତାହେ ହେଲା ଦୈନିକ ସଂକ୍ରମଣ ୩୦,୦୦୦ ତଳକୁ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/65sd4g564dg65465dagdagdagdagdagda.jpg)