ୱାସିଂଟନ୍: ଆମେରିକାରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ତରନଜିତ ସିଂହ ସନ୍ଧୁ ଗୁଗ୍ଲ ଏବଂ ଆଲଫାବେଟ୍ ସିଇଓ ସୁନ୍ଦର ପିଚାଇଙ୍କୁ ଶୁକ୍ରବାର ଦିନ ପଦ୍ମଭୂଷଣ ପୁରସ୍କାର ପ୍ରଦାନ କରିଛନ୍ତି। ସାନ୍ ଫ୍ରାନସିସ୍କୋରେ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ପିଚାଇଙ୍କୁ ଏହି ପୁରସ୍କାର ଦିଆଯାଇଛି। ୭୩ ତମ ସାଧାରଣତନ୍ତ୍ର ଦିବସ ସନ୍ଧ୍ୟାରେ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ଦ୍ବାରା ସୁନ୍ଦର ପିଚାଇଙ୍କୁ ଦେଶର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ଭୂଷଣରେ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଥିଲା।
ପଦ୍ମ ଭୂଷଣ ପାଇବାପରେ ପିଚାଇ ଏକ ପୋଷ୍ଟ୍ କରି କହିଛନ୍ତି, ‘ପଦ୍ମ ଭୂଷଣ ପୁରସ୍କାର ପାଇଁ ରାଷ୍ଟ୍ରଦୂତ ସନ୍ଧୁ ଏବଂ କନସଲ ଜେନେରାଲ ପ୍ରସାଦଙ୍କୁ ମୁଁ ଧନ୍ୟବାଦ ଜଣାଇବାକୁ ଚାହୁଛି। ଏଭଳି ଏକ ବିଶାଳ ସମ୍ମାନ ପାଇଁ ଭାରତ ସରକାର ଏବଂ ଭାରତର ଲୋକଙ୍କ ନିକଟରେ ମୁଁ ଗଭୀର ଭାବେ କୃତଜ୍ଞ। ମତେ ଗଢ଼ି ତୋଳିଥିବା ରାଷ୍ଟ୍ର ଦ୍ବାରା ଏଭଳି ଭାବେ ସମ୍ମାନିତ କରାଯିବା ଅତ୍ୟନ୍ତ ମହତ୍ବ ରଖେ। ଭାରତ ମୋର ଏକ ଅଂଶ। ମୁଁ ଯେଉଁ ସ୍ଥାନକୁ ଯାଉଛି ଭାରତକୁ ମୋ ସାଥୀରେ ନେଇ ଯାଉଛି ବୋଲି ସେ କହିଛନ୍ତି। ସୁନ୍ଦର ପିଚାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଜିଟାଲ ଇଣ୍ଡିଆ ଭିଜନ୍କୁ ପ୍ରଶଂସା କରିବା ସହ ଲୋକଙ୍କ ଆକାଂକ୍ଷାକୁ ଫଳବତୀ କରିପାରିବ ବୋଲି କହିଛନ୍ତି।