ମହିଳାଙ୍କ ପାଇଁ ଭାରତ ସବୁଠୁ ବିପଜ୍ଜନକ : ଥମ୍‌ସନ ରଏଟର୍ସ ସର୍ଭେ:ଦଶମ ସ୍ଥାନରେ ଆମେରିକା

ଦ୍ୱିତୀୟରେ ଆଫ୍‌ଗାନିସ୍ତାନ, ତୃତୀୟରେ ସିରିୟା
ନୂଆଦିଲ୍ଲୀ: ସାରା ବିଶ୍ୱରେ ଭାରତ ଏବେ ମହିଳାଙ୍କ ପାଇଁ ସବୁଠୁ ବିପଜ୍ଜନକ ସାବ୍ୟସ୍ତ ହୋଇଛି। ଦେଶରେ ମହିଳାଙ୍କ ବିରୋଧରେ ଦୁଷ୍କର୍ମ ଓ ହିଂସାକାଣ୍ଡ ଅହେତୁକ ଭାବେ ବଢ଼ି ଚାଲିଛି। ଘରୋଇ ସହାୟକ ଏବଂ ଦାଦନ ଖଟାଇବା ପାଇଁ ମଧ୍ୟ ଭାରତରେ ମହିଳାମାନଙ୍କୁ ଚାଲାଣ କରାଯାଉଛି। ଅନେକ କ୍ଷେତ୍ରରେ ମହିଳାଙ୍କୁ ନିଜ ଇଚ୍ଛା ବିରୋଧରେ ବଳପୂର୍ବକ ବିବାହ କରି ଦିଆଯାଉଛି। ଯୌନ ନିର୍ଯାତନା ଏବଂ ଦେହ ବ୍ୟବସାୟରେ ମହିଳାମାନଙ୍କୁ ନିୟୋଜିତ କରିବା ମାମଲା ସାଂଘାତିକ ସ୍ଥିତିରେ ପହଞ୍ଚିଛି। ବାଲ୍ୟ ବିବାହ ପରି କଳଙ୍କିତ ପ୍ରଥା ଏବେ ମଧ୍ୟ ଭାରତରେ କେତେକ ସ୍ଥାନରେ ବେଆଇନ ଭାବେ ଚାଲିଛି । ମହିଳାଙ୍କ ସାମାଜିକ ଓ ଆର୍ଥିକ ସ୍ଥିତି ଏବଂ ସେମାନଙ୍କ ପ୍ରତି ଦେଖାଦେଇଥିବା ବିପଦ ଦୃଷ୍ଟିରୁ ଭାରତ ଏବେ ମହିଳାଙ୍କ ପାଇଁ ସର୍ବାଧିକ ବିପଜ୍ଜନକ ରାଷ୍ଟ୍ର ବୋଲି ଥମସନ୍‌ ରଏଟର୍ସ ଫାଉଣ୍ଡେସନ୍‌ ଦ୍ୱାରା ପ୍ରକାଶିତ ହୋଇଥିବା ସର୍ଭେ ରିପୋର୍ଟରେ କୁହାଯାଇଛି। ମହିଳାଙ୍କ ସ୍ଥିତି ଓ ସୁରକ୍ଷା ସଂପର୍କିତ ବିଷୟବସ୍ତୁ ଉପରେ ସମୁଦାୟ ୫୫୦ ବିଶେଷଜ୍ଞଙ୍କ ଦ୍ୱାରା ଏହି ସର୍ଭେ ରିପୋର୍ଟ ପ୍ରସ୍ତୁତ କରାଯାଇଛି ।
୭ ବର୍ଷ ପୂର୍ବେ ତଥା ୨୦୧୧ ମସିହାରେ ଥମସନ୍‌ ରଏଟର୍ସର ଦ୍ୱାରା ପ୍ରକାଶ କରାଯାଇଥିବା ଏହି ସମାନ ସର୍ଭେରେ ମହିଳାଙ୍କ ପାଇଁ ବିପଜ୍ଜନକ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ଥିଲା। ଚଳିତ ତାଲିକାରେ ଥିବା ୧୦ଟି ଦେଶ ମଧ୍ୟରୁ ୯ଟି ଏସିଆ, ମିଡଲ ଇଷ୍ଟ୍‍ ଏବଂ ଆଫ୍ରିକାର। ତେବେ ଦଶମ ସ୍ଥାନରେ ଏକମାତ୍ର ପାଶ୍ଚାତ୍ୟ ଦେଶ ଭାବେ ରହିଛି ଆମେରିକା। ଥମସନ୍‌ ରଏଟର୍ସ ଫାଉଣ୍ଡେସନ୍‌ର ଏହି ସର୍ବେକ୍ଷଣରେ ମହିଳାଙ୍କ ପାଇଁ ସବୁଠୁ ବିପଜ୍ଜନକ ଦେଶ ଭାବେ ପ୍ରଥମ ସ୍ଥାନରେ ଭାରତ ରହିଥିବାବେଳେ ଦ୍ୱିତୀୟରେ ଯୁଦ୍ଧ ପ୍ରବଣ ଆଫଗାନିସ୍ତାନ ଏବଂ ତୃତୀୟ ସ୍ଥାନରେ ସିରିୟା ରହିଛି। ତାଲିକାର ଚତୁର୍ଥ ସ୍ଥାନରେ ସୋମାଲିଆ, ପଞ୍ଚମ ସ୍ଥାନରେ ସାଉଦି ଆରବ, ଷଷ୍ଠ ସ୍ଥାନରେ ପାକିସ୍ତାନ, ସପ୍ତମ ସ୍ଥାନରେ ଡେମୋକ୍ରାଟିକ୍‌ ରିପବ୍ଲିକ୍‌ ଅଫ୍‌ କଙ୍ଗୋ, ଅଷ୍ଟମରେ ୟେମେନ୍‌ ଏବଂ ନବମ ସ୍ଥାନରେ ନାଇଜେରିଆ ରହିଛି। ତେବେ ୨୦୧୧ ମସିହାରେ ଯଥାକ୍ରମେ ଆଫଗାନିସ୍ତାନ, କଙ୍ଗୋ, ପାକିସ୍ତାନ, ଭାରତ ଏବଂ ସୋମାଲିଆ ମହିଳାଙ୍କ ପାଇଁ ସବୁଠୁ ବିପଜ୍ଜନକ ରାଷ୍ଟ୍ର ତାଲିକାରେ ରହିଥିଲେ।
ତଥ୍ୟ ଅନୁଯାୟୀ ୨୦୦୭ରୁ ୨୦୧୬ ମସିହା ମଧ୍ୟରେ ଭାରତରେ ମହିଳାଙ୍କ ବିରୋଧରେ ଅପରାଧର ମାତ୍ରା ୮୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ୨୦୧୨ ମସିହାର ନିର୍ଭୟା ଗଣଦୁଷ୍କର୍ମ ଘଟଣାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ଆଇନ ବ୍ୟବସ୍ଥା ଅଧିକ କଠୋର ହୋଇଥିଲା। ତେବେ ଏହାର ମଧ୍ୟ କୌଣସି ପ୍ରଭାବ ପଡ଼ିନଥିବା ଜଣାପଡ଼ିଛି। କେବଳ ୨୦୧୬ ମସିହାରେ ପ୍ରାୟ ୪୦,୦୦୦ ଦୁଷ୍କର୍ମ ମାମଲା ରିପୋର୍ଟ କରାଯାଇଛି। ୨୦୧୬ ମସିହାରେ ଭାରତରେ କେବଳ କର୍ମସ୍ଥଳରେ ହିଁ ୫୩୯ଟି ଶାରୀରିକ ନିର୍ଯାତନା ମାମଲା ରିପୋର୍ଟ କରାଯାଇଛି।

ସମ୍ବନ୍ଧିତ ଖବର