ଲଣ୍ଡନ: ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା ଡେଲ୍ଟା (ବି.୧.୬୧୭) ନାମକ ରୂପାନ୍ତରିତ ପ୍ରଜାତିର କରୋନାଭୂତାଣୁ ଅଦ୍ୟାବଧି ବିଶ୍ବର ୬୦ଟି ରାଷ୍ଟ୍ରରେ ଠାବ ହୋଇଥିବା ବେଳେ ବ୍ରିଟେନ୍ରେ ଏବେ ଏହା ଆତଙ୍କର କାରଣ ପାଲଟିଛି। ବ୍ରିଟେନରେ ଏବେ ଦୈନିକ ସଂକ୍ରମଣର ମୋଟ ୩୦ ପ୍ରତିଶତ ଡେଲ୍ଟା ପ୍ରଜାତିଜନିତ ବୋଲି ଜଣାପଡ଼ିଛି। ଏହି ରପାନ୍ତରିତ ପ୍ରଜାତିରେ ଆକ୍ରାନ୍ତ ହେଉଥିବା ଅଧିକାଂଶ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ବ୍ରିଟେନ୍, ଆମେରିକା, ଅଷ୍ଟ୍ରେଲିଆ ସମେତ ୭ଟି ଦେଶ ଏହି ପ୍ରଜାତି ଦ୍ରୁତ ସଂକ୍ରମଣ କରାଉଛି। ମୋଟ ୬୦ଟି ଦେଶରେ ମିଳିଥିବା ଏହି ସ୍ବତନ୍ତ୍ର ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁର ଭୟାବହତା ଓ ସଂକ୍ରାମକତା ସମ୍ପର୍କରେ ଗବେଷଣା ଜାରି ରହିଛି ବୋଲି ହୁ୍' କହିଛି। ଭାରତର ସବୁ ରାଜ୍ୟରେ ଡେଲ୍ଟା ପ୍ରଜାତିର ପ୍ରାଦୁର୍ଭାବ ଜାରି ରହିଥିବା ବେଳେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ଗୁଜରାଟ, ମହାରାଷ୍ଟ୍ର ଓ ତେଲେଙ୍ଗାନରେ ଅଧିକ ସଙ୍କଟ ସୃଷ୍ଟି କରିଛି। ଏପ୍ରିଲରେ ଦିଲ୍ଲୀରେ ଚିହ୍ନଟ ହୋଇଥିବା ମାମଲାର ୬୦ ପ୍ରତିଶତ ଡେଲ୍ଟା ପ୍ରଜାତି ଥିଲା।
ଡେଲଟା ପ୍ରଜାତି ଅତିଶୟ ସଂକ୍ରାମକ ହେବା ସହ ଏହାର କ୍ଷିପ୍ରତା ହିଁ ସଂକ୍ରମଣର ବ୍ୟାପକତାକୁ ଦ୍ରୁତ କରି ପକାଉଛି ବୋଲି ଆଇସିଏମ୍ଆର ବୈଜ୍ଞାନିକମାନେ କହିଛନ୍ତି। ଦେଶରେ ବ୍ୟାପକ କ୍ଷତି ପହଞ୍ଚାଇଥିବା କୋଭିଡ୍-୧୯ ଦ୍ବିତୀୟ ଲହର ସଂକ୍ରମଣର ପ୍ରାଦୁର୍ଭାବ ପାଇଁ ଏହି ଡେଲ୍ଟା ହିଁ ଦାୟୀ ବୋଲି ସରକାରୀ ଅନୁଧ୍ୟାନରୁ ଜଣାଯାଇଛି। ବ୍ରିଟେନ୍ର କେଣ୍ଟ୍ରେ ପ୍ରଥମେ ଦେଖାଦେଇଥିବା ଆଲ୍ଫା ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁ ଠାରୁ ଏହି ଡେଲ୍ଟା ପ୍ରଜାତି ଅଧିକ ସଂକ୍ରାମକ ବୋଲି ଜଣାଯାଇଛି। ଦେଶରେ ଦ୍ବିତୀୟ ଲହର ଆବିର୍ଭାବର କାରଣ ଖୋଜିବା ପାଇଁ ଭାରତୀୟ ସାର୍ସ କୋଭ୍-୨ ଜିନୋମିକ୍ କନ୍ସୋର୍ଟିଆ ଓ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରର ବୈଜ୍ଞାନିକମାନଙ୍କ ଦ୍ବାରା କରାଯାଇଥିବା ଏହି ଗବେଷଣାରୁ ମିଳିଥିବା ନିର୍ଯାସ ଅନୁଯାୟୀ, ଏହି ଡେଲ୍ଟା ପ୍ରଜାତି ୟୁକେର ଆଲ୍ଫା ପ୍ରଜାତି ଅପେକ୍ଷା ୫୦ ପ୍ରତିଶତ ଅଧିକ ସଂକ୍ରାମକ।