ଡିଜିଟାଲ ପେମେଣ୍ଟ ରୢାଙ୍କିଂରେ ଭାରତ ପ୍ରଥମ

ନୂଆଦିଲ୍ଲୀ: ଡିଜିଟାଲ ପେମେଣ୍ଟ୍‌ ରୢାଙ୍କିଂରେ ଭାରତ ୨୦୨୨ ମସିହାରେ ବିଶ୍ବରେ ଶୀର୍ଷସ୍ଥାନରେ ରହିଛି। ସରକାରଙ୍କ ମାଇଁଗଭ୍‌ଇଣ୍ଡିଆ ପ୍ଲାଟଫର୍ମରୁ ଏହା ଜଣାଯାଇଛି।
୨୦୨୨ରେ ଦେଶରେ ୮୯.୫ ନିୟୁତ ଡିଜିଟାଲ କାରବାର ହୋଇଥିଲା। ଏଥିସହିତ ୨୦୨୨ରେ ବିଶ୍ବ ରିଅଲ ଟାଇମ୍‌ ପେମେଣ୍ଟରେ ଭାରତର ଯୋଗଦାନ ୪୬ ପ୍ରତିଶତରୁ ଅଧିକ ରହିଛି। ଭାରତ ପଛକୁ ବ୍ରାଜିଲ (୨୯.୨ ନୟୁତ), ଚୀନ (୧୭.୬ ନିୟୁତ), ଥାଇଲାଣ୍ଡ (୧୬.୫ ନିୟୁତ) ଏବଂ ଦକ୍ଷିଣ କୋରିଆ (୮ ନିୟୁତ) ଯଥାକ୍ରମେ ଦ୍ବିତୀୟରୁ ପଞ୍ଚମ ସ୍ଥାନ ମଧ୍ୟରେ ରହିଛନ୍ତି। ଭାରତ ତଳେ ଥିବା ୪ଟି ଦେଶରେ ମୋଟ ଡିଜିଟାଲ କାରବାର ଯେତିକି ହୋଇଛି ଭାରତରେ ତାହାଠାରୁ ଅଧିକ ଡିଜିଟାଲ କାରବାର ହୋଇଛି।

ଉକ୍ତ ସଫଳତା ନେଇ ମାଇଁଗଭ୍‌ଇଣ୍ଡିଆ ଟ୍ବିଟ କରିଛି। ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଭାରତର ଆଧିପତ୍ୟ ରହିଛି। ନୂଆ ସମାଧାନ ଏବଂ ବ୍ୟାପକ ବ୍ୟବହାର ଜରିଆରେ ଭାରତ ନଗଦବିହୀନ ଅର୍ଥନୀତି କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ବୋଲି ଏଥିରେ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଦେଶର ଗ୍ରାମୀଣ ଅର୍ଥନୀତିରେ ଡିଜିଟାଲ କାରବାର ବିପ୍ଳବ ଆଣିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବରୁ କହିଥିଲେ। ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଭାରତ ଏକ ନମ୍ବର। ଭାରତରେ ମୋବାଇଲ ଡାଟା ମୂଲ୍ୟ ସବୁଠୁ କମ୍। ସଂପ୍ରତି ଦେଶର ଗ୍ରାମୀଣ ଅର୍ଥନୀତିରେ ରୂପାନ୍ତରଣ ହେଉଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର