ନୂଆଦିଲ୍ଲୀ : ରବିବାର ଜାତୀୟ ଏକତା ଦିବସ ଭାବରେ ପାଳିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୬ତମ ଜୟନ୍ତୀ ପାଳନ ଅବସରର ଏକ ଭିଡିଓ ବାର୍ତ୍ତାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଭାରତ ବର୍ତ୍ତମାନ ଯେକୌଣସି ପ୍ରକାର ବାହ୍ୟ ବା ଆଭ୍ୟନ୍ତରୀଣ ଆହ୍ବାନର ସମ୍ମୁଖୀନ ହେବା ଲାଗି ପୂର୍ଣ୍ଣ ସମର୍ଥ ହେବାକୁ ଯାଉଛି ଏବଂ ଯେକୌଣସି ପ୍ରକାର ଜାତୀୟ ଲକ୍ଷ୍ୟ ହାସଲ ପାଇଁ ଭାରତ ଏକତାବଦ୍ଧ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସର୍ଦ୍ଦାର ପଟେଲ ଚାହୁଁଥିଲେ ଭାରତ ଏକ ଶକ୍ତିଶାଳୀ, ଅନ୍ତର୍ଭୁକ୍ତିଶୀଳ, ସମ୍ବେଦନଶୀଳ ଓ ସତର୍କ ଦେଶ ହେଉ। ସେ ସବୁବେଳେ ଜାତୀୟ ସ୍ବାର୍ଥ ଉପରେ ଗୁରୁତ୍ବ ଦେଉଥିଲେ। ସର୍ଦ୍ଦାର ପଟେଲଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଭାରତ ଯେକୌଣସି ପ୍ରକାର ଆଭ୍ୟନ୍ତରୀଣ ବା ବାହ୍ୟ ଆହ୍ବାନର ସମ୍ମୁଖୀନ ହେବା ଲାଗି ସମର୍ଥ ହେବାକୁ ଯାଉଛି।
୨୦୧୪ ମସିହାରୁ ୫୬୨ଟି ଦେଶୀୟ ରାଜ୍ୟକୁ ଏକାଠି କରିଥିବା ଲୌହମାନବଙ୍କ ଜନ୍ମ ତାରିଖ ଅକ୍ଟୋବର ୩୧କୁ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଉଛି। ବର୍ତ୍ତମାନ ରୋମରେ ଅନୁଷ୍ଠିତ ଜି୨୦ ସମ୍ମିଳନୀରେ ଯୋଗ ଦେଇଥିବା ମୋଦୀ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ପଟେଲଙ୍କ ଆଦର୍ଶର ଅନୁସରଣ କରି ଗତ ୭ ବର୍ଷ ହେଲା ଭାରତର ଏକତାକୁ ମଜଭୁତ କରିବା ଲାଗି ତାଙ୍କ ସରକାର କାମ କରିଆସୁଛି। ଭାରତ ଅଦରକାରୀ ଆଇନ (ଧାରା ୩୭୦)ରୁ ମୁକ୍ତିଲାଭ କରିଛି, ଏକତାର ଆଦର୍ଶକୁ ମଜଭୁତ କରିଛି ଏବଂ ସଂଯୋଗୀକରଣ ଓ ଭିତ୍ତିଭୂମି ସୁଦୃଢ଼ୀକରଣ ଦ୍ବାରା ଭୌଗୋଳିକ ଓ ସାଂସ୍କୃତିକ ଦୂରତା ହ୍ରାସ ପାଇବାରେ ଲାଗିଛି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ କୁହାଯାଇଛି।
ଏହି ଅବସରରେ ଆୟୋଜିତ ଅନ୍ୟ କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ ଶାହ ବିରୋଧୀ ଦଳକୁ ନିଶାଣ କରି କହିଥିଲେ ଯେ, ସର୍ଦ୍ଦାର ପଟେଲଙ୍କୁ ଭୁଲିଯିବା ପାଇଁ ଚେଷ୍ଟା କରାଯିବା ଦୁର୍ଭାଗ୍ୟଜନକ, ଯିଏ କି ଦେଶୀୟ ରାଜ୍ୟଗୁଡ଼ିକ ସମେତ ଲାକ୍ଷାଦ୍ବୀପକୁ ଭାରତର ଅଭିନ୍ନ ଅଙ୍ଗରେ ପରିଣତ କରିଥିଲେ। ସ୍ବାଧୀନତା ପରେ ତାଙ୍କର କୃତିତ୍ବକୁ ସ୍ବୀକୃତି ଦିଆଯାଇ ନ ଥିଲା। ତାଙ୍କୁ ଭାରତ ରତ୍ନ ଦିଆଯାଇ ନ ଥିଲା କି ଉପଯୁକ୍ତ ସମ୍ମାନ ଦିଆଯାଇ ନ ଥିଲା। କିନ୍ତୁ ସୂର୍ଯ୍ୟଙ୍କୁ ବେଶି ଦିନ ବାଦଲ ଢାଙ୍କି ରଖିପାରେ ନାହିଁ ବୋଲି ଶାହ କହିଥିଲେ। ପରିସ୍ଥିତି ବଦଳିବା ପରେ ସର୍ଦ୍ଦାର ପଟେଲଙ୍କୁ ଭାରତ ରତ୍ନ ମିଳିଲା ଏବଂ ତାଙ୍କର (ବିଶ୍ବର ଉଚ୍ଚତମ) ପ୍ରତିମୂର୍ତ୍ତି ତିଆରି ହେଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ନୂଆଦିଲ୍ଲୀର ପଟେଲ ଚୌକରେ ସର୍ଦ୍ଦାରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ନିବେଦନ କରିଥିଲେ ଏବଂ ଦେଶବାସୀ ସଦା ତାଙ୍କର ଋଣୀ ରହିବେ ବୋଲି କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/modi-2.jpg)