ନୂଆଦିଲ୍ଲୀ: ବିଶ୍ବ ଖେଳନା ବଜାରରେ ଚୀନର ଆଧିପତ୍ୟ ଏବେ ବି ରହିଛି। ୨୦୨୧ରେ ବିଶ୍ବରେ ମୋଟ ୭୩.୨ ବିଲିଅନ ଡଲାରର ଖେଳନା ରପ୍ତାନି ହୋଇଥିଲା। ଏଥିରେ ଚୀନର ଭାଗ ୬୬.୨ ପ୍ରତିଶତ ରହିଥିଲା। ଅର୍ଥାତ୍ ଚୀନ ୪୮.୫ ବିଲିଅନ ଡଲାର ମୂଲ୍ୟର ଖେଳନା ବିଦେଶ ବଜାରରେ ବିକ୍ରି କରିଥିଲା। ଖେଳନା ରପ୍ତାନିରେ ଏବେ ଭାରତ ଆଗକୁ ବଢ଼ୁଥିଲେ ବି ବିଶ୍ବର ମୋଟ ଖେଳନା ରପ୍ତାନିରେ ଭାରତର ଅଂଶ ମାତ୍ର ୦.୨୩ ପ୍ରତିଶତ ରହିଛି।
ଗତ ୫ ବର୍ଷ ଅର୍ଥାତ ୨୦୧୭-୧୮ରୁ ୨୦୨୧-୨୨ ଆର୍ଥିକ ବର୍ଷ ମଧ୍ୟରେ ଚୀନରୁ ଭାରତର ଖେଳନା ଆମଦାନି ହ୍ରାସ ପାଇଛି। ଏହାସତ୍ତ୍ବେ ଭାରତ ଏହାର ମୋଟ ଖେଳନା ଆମଦାନିର ପ୍ରାୟ ତିନି ପଞ୍ଚମାଂଶ ଚୀନରୁ ଆମଦାନି କରୁଛି। ତେବେ ତାଇୱାନ, ଜାପାନ, ଇଟାଲି, ଆମେରିକା, ଶ୍ରୀଲଙ୍କା, ଜର୍ମାନୀ, ବ୍ରିଟେନ ଏବଂ ୟୁଏଇରୁ ଭାରତ ଏହାର ଖେଳନା ଆମଦାନି ବଢ଼ାଇବାରେ ଲାଗିଛି।
ଭାରତ ବର୍ତ୍ତମାନ ଖେଳନାର ନିଟ୍ ରପ୍ତାନିକାରୀରେ ପରିଣତ ହୋଇଛନ୍ତି। ଅର୍ଥାତ ଭାରତ ଆମଦାନି ତୁଳନାରେ ଅଧିକ ଖେଳନା ରପ୍ତାନି କରୁଛି। ୫ ବର୍ଷ ପୂର୍ବେ ଖେଳନା କ୍ଷେତ୍ରରେ ଭାରତର ବାଣିଜ୍ୟ ନିଅଣ୍ଟ ୨୯୨.୯ ନିୟୁତ ଡଲାର ଥିବାବେଳେ ୨୦୨୧-୨୨ରେ ୧୫୩.୧୩ ନିୟୁତ ଡଲାରର ବାଣିଜ୍ୟ ବଳକା ହାସଲ କରିପାରିଛି। ୨୦୧୨ରୁ ୨୦୨୧ ମଧ୍ୟରେ ଭାରତୀୟ ଖେଳନା ରପ୍ତାନିର ବାର୍ଷିକ ଅଭିବୃଦ୍ଧି ୨୫.୩୧ ପ୍ରତିଶତ ରହିଛି। ଏହି ସମୟରେ ଭିଏତନାମର ଅଭିବୃଦ୍ଧି ୨୩.୫୬ ପ୍ରତିଶତ ରହିଥିବାବେଳେ ଚୀନରେ ୧୬.୭୪ ପ୍ରତିଶତ, ନେଦରଲାଣ୍ଡ୍ସର ୯.୯୩ ପ୍ରତିଶତ ଏବଂ ଚେକ୍ ଗଣତନ୍ତ୍ରର ଅଭିବୃଦ୍ଧି ୫.୯୮ ପ୍ରତିଶତ ରହିଛି।