ଇସଲାମାବାଦ: ଯେବେଠାରୁ ଭାରତ ପାକିସ୍ତାନ ଉପରେ ଅପରେସନ ସିନ୍ଦୂର କରି ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି, ସେବେଠାରୁ ପଡ଼ୋଶୀ ଦେଶର ମାନସିକ ସନ୍ତୁଳନ ଖରାପ ହୋଇଯାଇଛି। କେତେବେଳେ ଏହି ଦେଶର ଲୋକମାନେ ଭାରତ ଉପରେ ସେମାନଙ୍କର ବିଜୟର ଉତ୍ସବ ପାଳନ କରୁଛନ୍ତି ତ ଆଉ କେତେବେଳେ କେହି କେହି ଭାରତକୁ ବନ୍ଧକ ବୋଲି କହୁଛନ୍ତି। ଏବେ ପୂର୍ବତନ ପାକିସ୍ତାନୀ ଖେଳାଳି କାମରାନ ଆକମଲ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ବିଳିବିଳେଇବା ପରି ଅବାନ୍ତର କଥା କହିଛନ୍ତି।
ପ୍ରକୃତରେ, ଅପରେସନ ସିନ୍ଦୂର ମାଧ୍ୟମରେ ଭାରତ ପାକିସ୍ତାନର ଅହଂକାରର ଅନ୍ତ ଘଟାଇଛି। କିନ୍ତୁ, ଏହି ଅପରେସନ୍ ପାକିସ୍ତାନର ଲୋକଙ୍କ ମାନସିକ ଅବସ୍ଥାକୁ ଆହୁରି ଖରାପ କରିଦେଇଛି। ପୂର୍ବରୁ ପୂର୍ବତନ ପାକିସ୍ତାନ ଅଧିନାୟକ ଶାହିଦ ଆଫ୍ରିଦି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ, ଯାହା ପରେ ଏବେ ୱିକେଟକିପର କାମରାନ ଆକମଲ ଏଭଳି ବିବାଦରେ ପ୍ରବେଶ କରିଛନ୍ତି।
କାମରାନ ଆକମଲ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ, ଭାରତ ଜଣେ ବ୍ୟକ୍ତି ଏବଂ ତାଙ୍କ ରାଜନୀତି ଦ୍ୱାରା ବନ୍ଧକ ହୋଇ ରହିଛି। ପାକିସ୍ତାନର ଲୋକମାନେ ଭାରତ ବିରୁଦ୍ଧରେ ନିରନ୍ତର ବିଷ ଓଗାଳୁଛନ୍ତି ଏବଂ ଭାରତକୁ ବିଭାଜିତ କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଏହା କେବଳ କଷ୍ଟକର ନୁହେଁ ବରଂ ଅସମ୍ଭବ ମଧ୍ୟ।
ଆମେ ଅନେକ ଥର ଭାରତ ଆସିଛୁ। ଭାରତ ଏକ ଚମତ୍କାର ଲୋକଙ୍କ ଦେଶ। ଜଣେ ବ୍ୟକ୍ତି ତାଙ୍କ ରାଜନୀତି ପାଇଁ ସମଗ୍ର ଦେଶକୁ ବାଜିରେ ଲଗାଉଛନ୍ତି। ଭାରତ ପାଇଁ କ'ଣ ସର୍ବୋତ୍ତମ, ଦେଶକୁ କିପରି ଚଲାଇବେ, ଅର୍ଥନୀତିକୁ କିପରି ସ୍ଥିର ରଖିବେ ଏବଂ ସମ୍ପର୍କ କିପରି ଗଠନ କରିବେ ତାହା ଲୋକମାନଙ୍କୁ ନିଷ୍ପତ୍ତି ନେବାକୁ ପଡିବ। ଏଆରୱାଇ ନ୍ୟୁଜରେ ନ୍ୟୁଜ୍ ଆଙ୍କର ୱାସିମ ବାଦାମୀଙ୍କ ଶୋ'ରେ ଆକମଲ ଏଭଳି କହିଥିଲେ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିନି ଦିନରୁ ଅଧିକ ସମୟ ଧରି ଅସ୍ତ୍ରବିରତି ଜାରି ରହିବା ପରେ ଆକମଲଙ୍କ ମନ୍ତବ୍ୟ ଆସିଛି।
ଅଧିକ ପଢ଼ନ୍ତୁ: ସଂଘ- ବିଜେପି ନିଜ ନିଜ ପରିସର ମଧ୍ୟରେ ରହିବେ, ଆରଆରଏସ ଦଳର କାର୍ଯ୍ୟରେ ହସ୍ତକ୍ଷେପ କରିବ ନାହିଁ
ସୂଚନାଯୋଗ୍ୟ, ୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ପହଲଗାମ ଆକ୍ରମଣ ପଛରେ ଷଡ଼ଯନ୍ତ୍ର ଥିଲା ଭାରତରେ ହିନ୍ଦୁ ଏବଂ ମୁସଲମାନଙ୍କ ମଧ୍ୟରେ ଲଢ଼େଇ ସୃଷ୍ଟି କରିବା, ଯାହାକୁ ଭାରତ ସରକାର ଏବଂ ଭାରତର ଲୋକମାନେ ସମ୍ପୂର୍ଣ୍ଣ ଭାବରେ ବିଫଳ କରିଥିଲେ। ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନୀ ଆତଙ୍କବାଦୀମାନେ ସାମିଲ ଥିଲେ। ତେବେ ଭାରତୀୟ ସେନା ପାକିସ୍ତାନରେ ଏୟାର ଷ୍ଟ୍ରାଇକ୍ କରି ଅନେକ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲା।
ଅଧିକ ପଢ଼ନ୍ତୁ: ଶ୍ରମିକ ବିରୋଧୀ ଶ୍ରମ କୋଡ୍ ଓ ୱାକଫ ବୋର୍ଡ ସଂଶୋଧନ ଆଇନ ବାତିଲ ଦାବିରେ ଭଦ୍ରକରେ ଶୋଭାଯାତ୍ରା ଓ ସାଧାରଣ ସଭା
India | pakistan | OperationSindoor | pm-narendra-modi