ବିଶ୍ୱର ପ୍ରମୁଖ ଅର୍ଥନୈତିକ ମହାଶକ୍ତି ଭାବେ ବ୍ରିଟେନ୍‌କୁ ହଟାଇ ପଞ୍ଚମ ସ୍ଥାନରେ ଭାରତ

ନୂଆଦିଲ୍ଲୀ : ବିଶ୍ବର ପ୍ରମୁଖ ଅର୍ଥନୈତିକ ମହାଶକ୍ତି ଭାବେ ଭାରତ ଏହାର ସ୍ଥିତିକୁ ଆହୁରି ଦୃଢ଼ କରିଛି। ପଞ୍ଚମ ସ୍ଥାନରେ ଥିବା ବ୍ରିଟେନ୍‌କୁ ଏହା ପଛରେ ପକାଇ ଦେଇଛି। କରୋନା ମହାମାରୀ ପରେ ଦରଦାମରେ ହୋଇଥିବା ଅହେତୁକ ବୃଦ୍ଧିକୁ ରୋକିବାରେ ବିଫଳ ହୋଇଥିବା ବ୍ରିଟେନ୍‌ ଷଷ୍ଠ ସ୍ଥାନକୁ ଖସିଆସିଛି। ଭାରତ ବିଶ୍ବର ପଞ୍ଚମ ବୃହତ୍ତମ ଅର୍ଥନୀତି ଭାବେ ଉଭା ହୋଇଛି। ୨୦୨୧ର ଶେଷ ତିନି ମାସରେ ଭାରତ ଏହି ସଫଳତା ହାସଲ କରିଛି। ଦଶନ୍ଧି ପୂର୍ବେ ଏହି ତାଲିକାରେ ଭାରତ ଏକାଦଶ ସ୍ଥାନରେ ଥିବା ବେଳେ ବ୍ରିଟେନ୍ ପଞ୍ଚମ ସ୍ଥାନରେ ଦୃଢ଼ ସ୍ଥିତିରେ ଥିଲା। କିନ୍ତୁ କିଛିବର୍ଷ ଭିତରେ ଭାରତର ଦ୍ରୁତ ଗତିରେ ଆଗକୁ ବଢ଼ି ବ୍ରିଟେନ୍‌କୁ ପଛରେ ପକାଇବାରେ ସଫଳ ହୋଇଛି।
ଆମେରିକୀୟ ଡଲାରରେ କରାଯାଇଥିବା ହିସାବରୁ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ବ୍ରିଟେନ୍‌ଠାରୁ ଅଧିକ ହୋଇଥିବା ଜଣାପଡ଼ିଛି। ବ୍ରିଟେନ୍ ଅର୍ଥନୀତି ମୂଲ୍ୟ ୮୧୬ ବିଲିଅନ ଡଲାର ରହିଥିବା ବେଳେ ଭାରତୀୟ ଅର୍ଥନୀତି ମୂଲ୍ୟ ତା’ଠାରୁ ଅଧିକ ଅର୍ଥାତ ୮୫୪.୭ ବିଲିଅନ ଡଲାର ହୋଇଛି। ଅର୍ଥନୈତିକ ମହାଶକ୍ତି ଭାବେ ଆମେରିକା ପ୍ରଥମ ସ୍ଥାନରେ ଥିବା ବେଳେ ଚୀନ୍ ଦ୍ବିତୀୟ, ଜାପାନ ତୃତୀୟ ଓ ଜର୍ମାନି ଚତୁର୍ଥ ସ୍ଥାନରେ ରହିଛି।


ବ୍ରିଟେନ୍ ଏବେ ନୂଆ ପ୍ରଧାନମନ୍ତ୍ରୀ ସନ୍ଧାନ କରୁଛି। ସେହି ଦୌଡ଼ରେ ବିଦେଶ ମନ୍ତ୍ରୀ ଲିଜ୍ ଟ୍ରସ୍ ଓ ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ରହିଛନ୍ତି। ପ୍ରଧାନମନ୍ତ୍ରୀ ପଦରୁ ବୋରିସ ଜନସନ୍ ବିଦା ହେବା ପରେ ଅର୍ଥନୀତି କଠିନ ସମୟ ଦେଇ ଗତି କରୁଛି। ‌ସ୍ଥିତି ସୁଧାରିବା ଲାଗି ତାଙ୍କ ଉତ୍ତରାଧିକାରୀଙ୍କୁ ବହୁ କଷ୍ଟ କରିବାକୁ ପଡ଼ିବ। ବ୍ରିଟେନ୍‌ର ମୁଦ୍ରାସ୍ଫୀତି ହାର ୪୦ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଥିବା ବେଳେ ଜୀବନଧାରଣ ଖର୍ଚ୍ଚ ବହୁଗୁଣିତ ହୋଇଯାଇଛି। ବ୍ୟାଙ୍କ ଅଫ୍‌ ଇଂଲଣ୍ଡ ଆକଳନ କରିଛି ‌ଯେ ଏହି ସ୍ଥିତି ଅତିକମ୍‌ରେ ୨୦୨୪ ପର୍ଯ୍ୟନ୍ତ ଜାରି ରହିବ। ବ୍ରିଟେନ୍‌ ତୁଳନାରେ ଭାରତୀୟ ଅର୍ଥନୀତି ଚମତ୍କାର ପ୍ରଦର୍ଶନ କରୁଛି। ଚଳିତ ଆର୍ଥିକବର୍ଷରେ ଭାରତ ୭%ରୁ ଅଧିକ ଅଭିବୃଦ୍ଧି ହାସଲ କରିବ ବୋଲି ଆକଳନ କରାଯାଇଛି।

ସମ୍ବନ୍ଧିତ ଖବର