ନୂଆଦିଲ୍ଲୀ: ଭାରତକୁ ବୈଶ୍ବିକ ଦକ୍ଷିଣଭାଗ (ଗ୍ଲୋବାଲ ସାଉଥ୍‌)ର ଅନ୍ୟତମ ମହାନ ନେତା ବୋଲି ଅଭିହିତ କରି ଜାତିସଂଘ ସାଧାରଣ ପରିଷଦ ଅଧ୍ୟକ୍ଷ ସାବା କୋରୋସି କହିଛନ୍ତି ଯେ, ଭାରତ ଓ ଜାତିସଂଘର ଚିନ୍ତାଧାରା ଭିତରେ ବହୁତ ସାମଞ୍ଜସ୍ୟ ରହିଛି। ଜାତିସଂଘ ସମଗ୍ର ବିଶ୍ବରେ ଉନ୍ନତିମୂଳକ ପରିବର୍ତ୍ତନ ଚାହୁଥିବା ବେଳେ ଭାରତର ରଣନୀତିକ ଚିନ୍ତାଧାରା ମଧ୍ୟ ସେହିପରି। ଭାରତର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ଆମନ୍ତ୍ରଣକ୍ରମେ କୋରୋସି ରବିବାର ଏକ ତିନିଦିନିଆ ଗସ୍ତରେ ଭାରତ ଆସିଛନ୍ତି। ସେପ୍ଟେମ୍ବର ୨୦୨୨ରୁ ଜାତିସଂଘ ସାଧାରଣ ପରିଷଦର ୭୭ତମ ଅଧିବେଶନର ଅଧ୍ୟକ୍ଷପଦ ଗ୍ରହଣ କରିବା ପରେ କୌଣସି ଦେଶକୁ ଏହା ହେଉଛି ତାଙ୍କର ପ୍ରଥମ ଗସ୍ତ। ଏହି ଅବସରରେ ବହୁ ଆଶା ନେଇ ମୁଁ ଭାରତ ଆସିଛି ବୋଲି କହିଛନ୍ତି କୋରୋସି। ସେ କହିଛନ୍ତି ଯେ ଭାରତର ରଣନୀତିକ ଚିନ୍ତାଧାରା ଜାତିସଂଘ ସହ ମେଳ ଖାଉଛି। ଭାରତ ବିଶ୍ବକୁ ବଦଳାଇବାକୁ ଚାହୁଥିବା ଓ ସମସ୍ୟାଜଡ଼ିତ ଅନେକ ଦେଶ ପାଇଁ ସମାଧାନ ଖୋଜୁଥିବା ବେଳେ ଜାତିସଂଘ ବି ଚାହୁଛି ସମାନ ପ୍ରକାର ପରିବର୍ତ୍ତନ। ଏଣୁ ଏ ବାବଦରେ ଭାରତରୁ ଯଥେଷ୍ଟ ସହଯୋଗ ମିଳିବ ବୋଲି କହିଛନ୍ତି କୋରୋସି।

Advertisment