ଆଫଗାନ ସ୍ଥିତିର ତଦାରଖ କରୁଛି ଭାରତ: ୫୫୦ରୁ ଅଧିକଙ୍କୁ ଫେରାଇ ଆଣିଛି ଭାରତ

ଉଦ୍ଧାର କାର୍ଯ୍ୟର ସୁରକ୍ଷା ଉପରେ ଫୋକସ୍‌: ଏମ୍‌ଇଏ

ନୂଆଦିଲ୍ଲୀ : ଆଫଗାନ ସ୍ଥିତି ଉପରେ ଅହରହ ନଜର ରଖାଯାଇଛି ଏବଂ ସାଂପ୍ରତିକ ପରିସ୍ଥିତିରେ ଭାରତ ଉଦ୍ଧାର କାର୍ଯ୍ୟର ସୁରକ୍ଷା ସ୍ଥିତି ତଦାରଖ କରୁଛି ବୋଲି ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚି ଆଜି ଗଣମାଧ୍ୟମକୁ କହିଛନ୍ତି। ‘ଆଫଗାନ ସ୍ଥିତିକୁ ଆମେ ବେଶ୍‌ ଭଲଭାବେ ତଦାରଖ କରୁଛୁ ଏବଂ ଆମେରିକା ସମେତ ଅନ୍ୟ ରାଷ୍ଟ୍ରଗୁଡ଼ିକ ସହ ଲଗାତାର ‌ଯୋଗା‌ଯୋଗ ରଖିଛୁ। ବର୍ତ୍ତମାନ ସ୍ଥିତିରେ ଉଦ୍ଧାର କାର୍ଯ୍ୟର ସୁରକ୍ଷା ସ୍ଥିତି ଉପରେ ଫୋକସ୍‌ କରାଯାଇଛି। ଆମେ ଏକ ଶାନ୍ତିପୂର୍ଣ୍ଣ, ଉଜ୍ଜ୍ବଳ ଏବଂ ଗଣତାନ୍ତ୍ରିକ ଆଫଗାନିସ୍ତାନ ଚାହୁ।

ଏ ଯାବତ ଯୁଦ୍ଧପ୍ରବଣ ଆଫଗାନିସ୍ତାନରୁ ୫୫୦ରୁ ଅଧିକଙ୍କୁ ଭାରତ ଖାଲି କରିଛି। ସରକାରଙ୍କ ପ୍ରଥମ ଲକ୍ଷ୍ୟ‌ ହେଉଛି ଭାରତୀୟ ନାଗରିକଙ୍କୁ ଖାଲି କରିବା। ଆଫଗାନିସ୍ତାନରେ ଯେଉଁମାନେ ଭାରତକୁ ସହଯୋଗ କରିଛନ୍ତି ସେମାନଙ୍କୁ ମଧ୍ୟ ସହଯୋଗ କରାଯିବ’ ବୋଲି ବାଗ୍‌ଚି କହିଛନ୍ତି। ଭାରତ ୬ଟି ବିମାନ‌ରେ ୫୫୦ରୁ ଅଧିକ ନାଗରିକଙ୍କୁ ଖାଲି କରିଛି। ଆଫଗାନ ନାଗରିକଙ୍କ ସମେତ ଅନ୍ୟ ରାଷ୍ଟ୍ରର ନାଗରିକଙ୍କୁ ମଧ୍ୟ ଭାରତ ଖାଲି କରିଥିବା ବାଗ୍‌ଚି କହିଛନ୍ତି।‌ ତେବେ ଆଫଗାନିସ୍ତାନରେ ଏଯାବତ କେ‌ତେ ସଂଖ୍ୟାରେ ଭାରତୀୟ ନାଗରିକ ଅଛନ୍ତି ତାହା ସେ ଜାଣିନଥିବା କହିଛନ୍ତି।

ସମ୍ବନ୍ଧିତ ଖବର