ରୁଷୀୟ ଟିକା ପାଇଁ ଭାରତ ଆଗ୍ରହୀ ନୁହେଁ

ନୂଆଦିଲ୍ଲୀ: ପୂର୍ବ ଘୋଷଣା ମୁତାବକ ରୁଷିଆ ସ୍ବଦେଶ ବିକଶିତ ବିଶ୍ବର ପ୍ରଥମ ଟିକାକୁ ଧାର୍ଯ୍ୟ ତାରିଖରେ ଲୋକାର୍ପିତ କରିପାରିଛି। ଏପରିକି ସରକାରୀ ପ୍ରତିଷ୍ଠାନ ଗମାଲେଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଏପିଡର୍ମିଓଲୋଜି ଆଣ୍ଡ୍‌ ମାଇକ୍ରୋବାୟୋଲୋଜି ଏବଂ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ବାରା ବିକଶିତ ‘ସ୍ପୁଟ୍‌ନିକ୍‌-ଭି’ ନାମକ ଏହି ଟିକାକୁ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ନିଜ ଝିଅ ଠାରେ ପ୍ରୟୋଗ କରିଥିବା ମଧ୍ୟ ଘୋଷଣା କରିଛନ୍ତି। ଦେଶ ଭିତରେ ଏହାକୁ ନେବା ପାଇଁ ହିତାଧିକାରୀଙ୍କର ପଞ୍ଜୀକରଣ ସହ ଏହାର ବ୍ୟାବସାୟିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଆଗାମୀ ସପ୍ତାହକ ଭିତରେ ଏହା ବଜାରରେ ଉପଲବ୍‌ଧ ହୋଇପାରିବ ବୋଲି ଆକଳନ କରାଯାଇଛି। ତେବେ ଏତେ ସତ୍ତ୍ବେ କୌଣସି ଏକ କୋଭିଡ୍‌ ଟିକାକୁ ଚାତକ ପରି ଚାହି ବସିଥିବା ବିଶ୍ବର ତୃତୀୟ ସର୍ବାଧିକ କୋଭିଡ୍‌ କ୍ଷତିଗ୍ରସ୍ତ ଭାରତ ସମେତ ଅନ୍ୟାନ୍ୟ ରାଷ୍ଟ୍ରମାନେ ମଧ୍ୟ ଏହି ‘ସ୍ପୁଟ୍‌ନିକ୍‌-ଭି’ ଟିକା ପ୍ରତି ସେଭଳି ଆଗ୍ରହ ପ୍ରକାଶ କରିନାହାନ୍ତି। ବିଶେଷ କରି ଦିନକୁ ୫୦ ହଜାରରୁ ଅଧିକ କରୋନାଭୂତାଣୁ ସଂକ୍ରମଣକୁ ସାମନା କରୁଥିବା ଭାରତ ଉକ୍ତ ଟିକାର ଆମଦାନି ପାଇଁ ଉତ୍ସାହିତ ନହେବା ପଛରେ ନିର୍ଦ୍ଦିଷ୍ଟ କାରଣ ରହିଛି।

ମହାମାରୀ କୋଭିଡ୍‌ ବିରୋଧରେ ଉକ୍ତ ରୁଷୀୟ ଟିକାର ଫଳପ୍ରଦତା ସମ୍ପର୍କରେ ଠିକ୍‌ ସୂଚନା ନଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ପ୍ରକାଶ କରିଛି। ବିଶେଷଜ୍ଞମାନଙ୍କ ଦ୍ବାରା ଫଳାଫଳକୁ ବିଶଦ ଭାବେ ତର୍ଜମା କରାଯିବା ଲାଗି ‘ସ୍ପୁଟ୍‌ନିକ୍‌-ଭି’ ନୈଦାନିକ ପରୀକ୍ଷଣ ବେଳର ଯାବତୀୟ ତଥ୍ୟ ପ୍ରକାଶ କରିବା ପାଇଁ ‘ହୁ’ ପୂର୍ବରୁ ରୁଷିଆକୁ ପରାମର୍ଶ କରିଥିଲା। ମାତ୍ର ପୁଟିନ୍‌ ପ୍ରଶାସନ ସେ ଦିଗରେ ନିରବ ରହିବା ଘଟଣା ଅନ୍ୟମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିବା ସହ ସନ୍ଦେହ ସୃଷ୍ଟି କରିଛି। ଅପରପକ୍ଷେ, ରୁଷିଆ ଏହାର ପ୍ରଥମ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଜୁନ୍‌ ମାସର ଦ୍ବିତୀୟ ଭାଗ ଆଡ଼କୁ ଆରମ୍ଭ କରିଥିଲା। ସେତେବେଳକୁ ଚୀନ୍‌, ଆମେରିକା ଓ ୟୁରୋପରେ ମଧ୍ୟ ବିକଶିତ ବିଭିନ୍ନ କୋଭିଡ୍‌ ଟିକାର ପ୍ରଥମ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଆରମ୍ଭ ହୋଇ ସାରିଥିଲା। ତେବେ ସେମାନେ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷଣ ସାରିନଥିବା ବେଳେ ପଛରେ ଆସିଥିବା ‘ସ୍ପୁଟ୍‌ନିକ୍‌-ଭି’ କିପରି ବ୍ୟବବହାରଯୋଗ୍ୟ ହୋଇପାରିଲା ବୋଲି ପ୍ରଶ୍ନ ଉଠିଛି।

‘ହୁ’ର ପରାମର୍ଶ ସତ୍ତ୍ବେ ଗମାଲେଇ ଇନ୍‌ଷ୍ଟିଚ୍ୟୁଟ୍‌ ଉକ୍ତ ଟିକାର ନିରାପତ୍ତା ପରୀକ୍ଷଣ ସଂକ୍ରାନ୍ତ ତଥ୍ୟ ଦାଖଲ କରିନାହିଁ। ଫଳରେ ‘ହୁ’ ପୂର୍ବରୁ ଘୋଷଣା କରିଥିବା ଛଅ ସଂଖ୍ୟା ବିଶିଷ୍ଟ ସମ୍ଭାବ୍ୟ ଫଳପ୍ରଦ କୋଭିଡ୍‌ ଟିକା ତାଲିକାରେ ‘ସ୍ପୁଟ୍‌ନିକ୍‌-ଭି’ ସ୍ଥାନ ପାଇନାହିଁ। ତେବେ ଭାରତ ସମେତ ଅନ୍ୟ କିଛି ଦେଶରେ ଏହାର ପ୍ରସ୍ତୁତି ପାଇଁ ଉଦ୍ୟମ ଚାଲିଛି ବୋଲି ଗମାଲେଇ ଇନ୍‌ଷ୍ଟିଚ୍ୟୁଟ୍‌ କହିଥିବା ବେଳେ ଭାରତ ସରକାର ସେଥିପ୍ରତି ସତର୍କ ରହିଛନ୍ତି। ଟିକାର ନିରାପତ୍ତା ଏବଂ ଫଳପ୍ରଦତା ପୁଙ୍ଖାନୁପୁଙ୍ଖ ଭାବେ ପରଖିବା ଉପରେ ଦିଲ୍ଲୀ ଏମ୍‌ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଗୁରୁତ୍ବାରୋପ କରିଛନ୍ତି। ରୁଷିଆରୁ ମିଳିଥିବା ବିଭିନ୍ନ ରିପୋର୍ଟ ଅନୁସାରେ ମାତ୍ର ୭୬ ଜଣ ସ୍ବେଚ୍ଛାସେବୀଙ୍କ ଠାରେ ନୈଦାନିକ ପରୀକ୍ଷଣ ପରେ ସରକାର ‘ସ୍ପୁଟ୍‌ନିକ୍‌-ଭି’ର ସାର୍ବଜନୀନ ବ୍ୟବହାର ପାଇଁ ଘୋଷଣା କରିଛନ୍ତି। ଏହି ସଂଖ୍ୟା ବାବା ରାମଦେବଙ୍କ ଦ୍ବାରା ପ୍ରସ୍ତୁତ ଚେରମୂଳି ରୋଗପ୍ରତିରୋଧବର୍ଦ୍ଧକରେ ସାମିଲ ଥିବା ସ୍ବେଚ୍ଛାସେବୀଙ୍କ ଠାରୁ ମଧ୍ୟ ଯଥେଷ୍ଟ କମ୍। ଅପରପକ୍ଷେ, ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଓ ମଡର୍ଣ୍ଣା କମ୍ପାନି ଦ୍ବାରା ବିକଶିତ ଦୁଇଟି ପୃଥକ୍ ଟିକାର ଚୂଡ଼ାନ୍ତ ପରୀକ୍ଷଣ ସରିବା ଉପରେ। ଏପରିକି ପୁଣେ ସ୍ଥିତ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଭାରତରେ ଅକ୍ସଫୋର୍ଡ ଟିକାର ପ୍ରସ୍ତୁତି କରିବା ଲାଗି ମଧ୍ୟ ସ୍ବାକ୍ଷର କରିଛି। ଏଥି ସହିତ ଭାରତ ବାୟୋଟେକ୍‌ ମଧ୍ୟ ସ୍ବଦେଶୀ ଟିକାର ପରୀକ୍ଷଣ ଜାରି ରଖିଛି। ଏ ପରିପ୍ରେକ୍ଷୀରେ ‘ସ୍ପୁଟ୍‌ନିକ୍‌-ଭି’ ପ୍ରତି ଭାରତ ଆଗ୍ରହ ପ୍ରକାଶ ନକରିବା ସ୍ବାଭାବିକ।

ସମ୍ବନ୍ଧିତ ଖବର