ଭାରତ ଏବେ ବିଶ୍ବର ନୂଆ ହଟ୍‌ସ୍ପଟ୍‌, ଲଗାତାର ୨ ଦିନ ଧରି ୭୮ ହଜାରରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ: ଭାରତ ଏବେ ବିଶ୍ବରେ କରୋନାର ନୂଆ ହଟସ୍ପଟ୍‌ ପାଲଟିଛି। କ୍ରମାଗତ ଭାବେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ସଂକ୍ରମଣର ମାତ୍ରା ଯେଉଁଭଳି ବଢ଼ିଚାଲିଛି ଖୁବ୍‌ଶୀଘ୍ର ଭାରତ ଆମେରିକା ଏବଂ ବ୍ରାଜିଲ୍‌କୁ ଟପିଯିବା ନେଇ ଆଶଙ୍କା କରାଯାଉଛି। ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୭୮ ହଜାର ୫୧୨ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୯୭୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଜାନୁଆରି ୩୦ରେ ଭାରତରେ ପ୍ରଥମ କରୋନା ସଂକ୍ରମଣ ଚିହ୍ନଟ ହେବାର ୭ ମାସ ପରେ ଏବେ ଭାରତରେ ସଂକ୍ରମଣ ଆମେରିକା ଏବଂ ବ୍ରାଜିଲ୍‌ ପରି ବୃଦ୍ଧି ପାଇଛି। ଲଗାତାର ଦ୍ବିତୀୟ ଦିନରେ ଭାରତରେ ସଂକ୍ରମଣ ମାମଲା ୭୮ ହଜାରରୁ ଅଧିକ ରହିଛି।

ରବିବାର ଭାରତରେ ସର୍ବାଧିକ ୭୮ ହଜାର ୭୬୧ ଜଣ କରୋନା ସଂକ୍ରମିତ ହୋଇଥିଲେ। ଦୈନିକ ସଂକ୍ରମଣ ମାମଲାରେ ଭାରତ ଏବେ ୧ ନମ୍ବରରେ ରହିଛି। ଏହା ଆମେରିକାକୁ ମଧ୍ୟ ଟପିଯାଇଛି। ସହରାଞ୍ଚଳ ପରେ ଭାରତର ଗ୍ରାମାଞ୍ଚଳମାନଙ୍କରେ ବି ସଂକ୍ରମଣ ମାଡ଼ିଲାଣି। ଦେଶରେ ସଂକ୍ରମଣ ୩୬ ଲକ୍ଷ ଟପିଯାଇଛି। ମୋଟ୍‌ ୩୬ ଲକ୍ଷ ୨୧ ହଜାର ୨୪୫ ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ୬୪ ହଜାର ୪୬୯ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଦେଶରେ ଏବେ ୭ ଲକ୍ଷ ୮୧ ହଜାର ୯୭୫ ସକ୍ରିୟ ମାମଲା ରହିଛି। ୨୭ ଲକ୍ଷ ୭୪ ହଜାର ୮୦୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ହାର ୭୬.୬୨ ପ୍ରତିଶତକୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ମୃତ୍ୟୁହାର ମଧ୍ୟ ୧.୭୮ ପ୍ରତିଶତକୁ ଖସି ଆସିଛି। କେବଳ ୮ ଦିନରେ ପ୍ରାୟ ୫ ଲକ୍ଷ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ତେବେ ଆଇସିଏମ୍‌ଆର ଅନୁଯାୟୀ ମୋଟ୍‌ ୪ କୋଟି ୨୩ ଲକ୍ଷ ୭ ହଜାର ୯୧୪ ନମୁନା ପରୀକ୍ଷା ହୋଇଛି।

ସମ୍ବନ୍ଧିତ ଖବର