ଦୈନିକ ସଂକ୍ରମଣରେ ଭାରତ ୧ ନମ୍ବର: ଆମେରିକାକୁ ପଛରେ ପକାଇଲା, ଆକ୍ରାନ୍ତଙ୍କ ସଂଖ୍ୟା ୩୫ ଲକ୍ଷ ଟପିଲା

ନୂଆଦିଲ୍ଲୀ : ଶନିବାର ଦେଶରେ ପ୍ରାୟ ୭୯ ହଜାର କରୋନା ସଂକ୍ରମଣ ମାମଲା ଚିହ୍ନଟ ‌ହୋଇଛି। ବିଶ୍ବର କୌଣସି ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ଏତେ ଅଧିକ ରହିବା ପ୍ରଥମ। ୭୮ ହଜାର ୭୬୧ ସଂକ୍ରମଣ ମାମଲା ସହ ଭାରତ ଆମେରିକାର ରେକର୍ଡ‌୍‌କୁ ମଧ୍ୟ ଭାଙ୍ଗି ଦେଇଛି। ଗତ ଜୁଲାଇ ୨୫ରେ ଆମେରିକାରେ ସର୍ବାଧିକ ୭୮ ହଜାର ୪୨୭ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା। ଗତ କିଛି ସପ୍ତାହ ମଧ୍ୟରେ ଭାରତରେ ସଂକ୍ରମଣ ବଢ଼ିଚାଲିଛି। ଗତ କିଛିଦିନ ହେଲା ଦୈନିକ ସଂକ୍ରମଣ ମାମଲା ୭୦ ହଜାରରୁ ଅଧିକ ରହିବା ସହ ମୋଟ୍‌ ସଂକ୍ରମଣ ମାମଲା ୩୫ ଲକ୍ଷ ଟପିଯାଇଛି। ତେବେ ଗତକାଲିର ସଂକ୍ରମଣ ମାମଲା ବିଶ୍ବରେ ସର୍ବାଧିକ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୪୮ ଜଣଙ୍କ କରୋନରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ୩୫ ଲକ୍ଷ ୪୨ ହଜାର ୭୩୪ ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ୬୩ ହଜାର ୪୯୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଆରୋଗ୍ୟଙ୍କ ସଂଖ୍ୟା ୨୭ ଲକ୍ଷ ଟପିଯାଇଛି। ଦେଶରେ ଆରୋଗ୍ୟ ହାର ୭୬.୬୧ ପ୍ରତିଶତକୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଦେଶରେ କରୋନା ଜନିତ ମୃତ୍ୟୁ ହାର ୧.୭୯ ପ୍ରତିଶତକୁ ହ୍ରାସ ପାଇଛି।

ଆମେରିକା ଏବଂ ବ୍ରାଜିଲ୍‌ ପରେ ଭାରତ ବିଶ୍ବରେ ତୃତୀୟ ସର୍ବାଧିକ କରୋନା ପ୍ରଭାବିତ ରାଷ୍ଟ୍ର। ଅଗଷ୍ଟ ୪ ତାରିଖ ପରଠାରୁ ଭାରତରେ ଦୈନିକ ସଂକ୍ରମଣ ମାମଲା ବଢ଼ିଚାଲିଛି। ଦେଶରେ କରୋନା ସଂକ୍ରମଣ ୩୫ ଲକ୍ଷ ଅତିକ୍ରମ କରିବା ପାଇଁ ୨୧୩ ଦିନ ଲାଗିଛି। ଗତ ସପ୍ତାହକ ମଧ୍ୟରେ ଦେଶରେ ୫ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡ଼ୁ ଏବଂ ଉତ୍ତରପ୍ରଦେଶରୁ ସର୍ବାଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି। ତେବେ ଗତ କିଛି ଦିନ ମଧ୍ୟରେ ଦୈନିକ ସଂକ୍ରମଣ ବଢ଼ିବା ସହ ସକ୍ରିୟ ମାମଲା ମଧ୍ୟ ବୃଦ୍ଧି ପାଇଛି। ଗତ ୪ ଦିନ ମଧ୍ୟରେ ସକ୍ରିୟ ମାମଲା ପ୍ରାୟ ୪୯ ହଜାର ବୃଦ୍ଧି ପାଇଛି। ଦେଶରେ ‌ଏବେ ମୋଟ୍‌ ୭ ଲକ୍ଷ ୬୬ ହଜାର ୨୨୬ ସକ୍ରିୟ ମାମଲା ରହିଛି। ତେବେ ୫ ଦିନରେ ପ୍ରଥମ ଥର ପାଇଁ ଦେଶରେ କରୋନା ମୃତ୍ୟୁ ୧ ହଜାରରୁ କମ୍‌ ରହିଛି। ଆସାମରେ ପ୍ରଥମ ସଂକ୍ରମଣ ଚିହ୍ନଟ ହେବାର ୫ ମାସ ପରେ ଗତକାଲି ସଂକ୍ରମଣ ମାମଲା ୧ ଲକ୍ଷ ଟପିଛି। ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡ଼ୁ ଏବଂ ଉତ୍ତରପ୍ରଦେଶରେ ଲଗାତାର ସଂକ୍ରମଣ ବଢ଼ିଚାଲିଛି।

ସମ୍ବନ୍ଧିତ ଖବର