ଜଳୁଛି ଭାରତ: ଦିଲ୍ଲୀରେ ଅସହ୍ୟ ଗରମ

ନୂଆଦିଲ୍ଲୀ: ଗତ ସପ୍ତାହରେ ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା ଓ ପଞ୍ଜାବରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଏହି ସବୁ ରାଜ୍ୟ ପାଇଁ ରେଡ୍ ଆଲର୍ଟ ଜାରି କରିଛି। ଉତ୍ତରାଖଣ୍ଡ, ବିହାର ଓ ଝାଡ଼ଖଣ୍ଡ ସମେତ ସମଗ୍ର ଉତ୍ତର ଭାରତରେ ତାପମାତ୍ରା ୪୬ ଡିଗ୍ରି ଉପରେ ରହିଛି। ବିହାରରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି ଯୋଗୁଁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ସର୍ବୋଚ୍ଚ ତାପମାତ୍ରା ଜୁନ୍ ମାସର ସ୍ୱାଭାବିକଠାରୁ ୬ ଡିଗ୍ରି ଅଧିକ ୪୫ ଡିଗ୍ରି ସେଲସିୟସ ରହିବା ସମ୍ଭାବନା ରହିଛି। ପାଣିପାଗ କାର୍ଯ୍ୟାଳୟର ସୂଚନା ଅନୁଯାୟୀ, ସୋମବାର ଦିଲ୍ଲୀରେ ଗ୍ରୀଷ୍ମ ସୂଚକାଙ୍କ ବା ଅନୁଭୂତ ହେଉଥିବା ତାପମାତ୍ରା ୫୦ ଡିଗ୍ରି ସେଲସିୟସକୁ ବୃଦ୍ଧି ପାଇଛି।

ଦିଲ୍ଲୀରୁ ପଶ୍ଚିମବଙ୍ଗ ଯାଉଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସୋମବାର ୩ ଘଣ୍ଟାରୁ ଅଧିକ ବିଳମ୍ବ ହୋଇଥିଲା। ଏହି ଯାନ୍ତ୍ରିକ ତ୍ରୁଟିର ମୂଳ କାରଣ ହେଉଛି ଭୂମିର ତାପମାତ୍ରା ବୃଦ୍ଧି। ତେବେ ବିକ୍ଷିପ୍ତ ବର୍ଷା ଓ ଧୂଳିଝଡ଼ ଯୋଗୁଁ ବୁଧବାରଠାରୁ ରାଜଧାନୀରେ ସାମାନ୍ୟ ଆଶ୍ୱସ୍ତି ଆଶା କରାଯାଉଥିବା ବେଳେ ଦୀର୍ଘକାଳୀନ ଆଶ୍ୱସ୍ତି ମିଳିବାର ସମ୍ଭାବନା ନାହିଁ। ଉତ୍ତରାଖଣ୍ଡର ଡେରାଡୁନରେ ସର୍ବାଧିକ ତାପମାତ୍ରା ୪୩.୧ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ମସୂରିରେ ୪୩ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ଏପରିକି ପୌଡ଼ି ଏବଂ ନୈନିତାଲ ଭଳି ପାହାଡିଆ ସହରରେ ମଧ୍ୟ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି। ଏଠାରେ ତିନି ମାସ ମଧ୍ୟରେ ଅତି ସାମାନ୍ୟ ବର୍ଷା ହୋଇଛି ବା ଆଦୌ ବର୍ଷା ହୋଇ ନାହିଁ। ପାହାଡ଼ିଆ ରାଜ୍ୟ ହିମାଚଳ ପ୍ରଦେଶରେ ହାରାହାରିଠାରୁ ୬.୭ ଡିଗ୍ରି ଅଧିକ ତାପମାତ୍ରା (୪୪ ଡିଗ୍ରି) ରହିଛି। ଜମ୍ମୁ-କାଶ୍ମୀରର କଟରାରେ ସର୍ବୋଚ୍ଚ ତାପମାତ୍ରା ୪୦.୮ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଜମ୍ମୁରେ ପାରଦ ୪୪.୩ ଡିଗ୍ରି ଛୁଇଁଛି।

ଆଇଏମ୍‌ଡିର ପୂର୍ବତନ ମହାନିର୍ଦ୍ଦେଶକ କେଜେ ରମେଶ କହିଛନ୍ତି ଯେ ଚଳିତ ସପ୍ତାହରେ ପ୍ରବଳ ଗ୍ରୀଷ୍ମପ୍ରବାହରୁ ମୁକ୍ତି ଆଶା କରାଯାଉଥିଲା କିନ୍ତୁ ଆରବ ସାଗର ଦେଇ ପବନର ଗତି ପରିବର୍ତ୍ତନ ଯୋଗୁଁ ସମତଳ ଅଞ୍ଚଳରେ ଥଣ୍ଡା ହେବାରେ ବିଳମ୍ବ ହୋଇଛି। ଅନ୍ୟ ଏକ କାରଣ ହେଉଛି ଜୁନ୍ ପହିଲାରୁ ପଶ୍ଚିମବଙ୍ଗରେ ମୌସୁମୀ ସ୍ଥିର ରହିଛି। ଯେପର୍ଯ୍ୟନ୍ତ ମୌସୁମୀ ଏହି ସବୁ ଅଞ୍ଚଳରୁ ଆଗକୁ ବଢ଼ିବ ନାହିଁ, ଉତ୍ତରଭାରତରେ କ୍ରମାଗତ ଗ୍ରୀଷ୍ମପ୍ରବାହ ଜାରି ରହିବ। ବୁଧବାର ପରେ ନୂଆ ପଶ୍ଚିମୀ ବିକ୍ଷୋଭ ଉତ୍ତର-ପଶ୍ଚିମ ଭାରତ ଆଡ଼କୁ ଗତି କରିବ, ଯାହା ଦିଲ୍ଲୀକୁ ମଧ୍ୟ ପ୍ରଭାବିତ କରିବ ଏବଂ ପ୍ରବଳ ଗରମରୁ ମୁକ୍ତି ଦେବ ବୋଲି ପାଣିପାଗ ବିଭାଗ କହିଛି। ତେବେ ମୌସୁମୀ ଆସିବା ପରେ ହିଁ ଗରମରୁ ପ୍ରକୃତ ମୁକ୍ତି ମିଳିବ। ମୌସୁମୀ ଦିଲ୍ଲୀରେ ପହଞ୍ଚିବାକୁ ୧୨ ଦିନରୁ ଅଧିକ ସମୟ ଲାଗିବ।

ସମ୍ବନ୍ଧିତ ଖବର