ବିଶ୍ବର ୧୦ ସବୁଠୁ ପ୍ରଦୂଷିତ ସହର ଭିତରୁ ୩ ଭାରତରେ, ସବୁଠୁ ପ୍ରଦୂଷିତ ସହର ଦିଲ୍ଲୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ତର ଅତି ଭୟାନକ ସ୍ଥିତିରେ ପହଞ୍ଚିଛି। ପଡ଼ୋଶୀ ରାଜ୍ୟଗୁଡ଼ିକରେ ହେଉଥିବା ନଡ଼ାପୋଡ଼ି ସହ ଯାନବାହନର ଧୂଆଁ ଦିଲ୍ଲୀବାସୀଙ୍କ ସ୍ବାସ୍ଥ୍ୟ ପାଇଁ ଜରୁରୀ ପରିସ୍ଥିତି ସୃଷ୍ଟି କରିଛି। ଇତିମଧ୍ୟରେ ସ୍ବିଜରଲାଣ୍ଡର ଏକ ଜଳବାୟୁ ସଂସ୍ଥା ତଥା ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ପ୍ରଯୁକ୍ତି ଅଂଶୀଦାର ଆଇକ୍ୟୁଏୟାର ଦର୍ଶାଇଛି ଯେ, ପୃଥିବୀର ସବୁଠୁ ଖରାପ ବାୟୁମାନ ସୂଚକାଙ୍କ (ଏକ୍ୟୁଆଇ) ଥିବା ସବୁଠୁ ଅଧିକ ପ୍ରଦୂଷିତ ୧୦ଟି ସହର ମଧ୍ୟରେ ତିନିଟି ସହର ହେଉଛି ଭାରତର। ତାଲିକାରେ ହାରାହାରି ଏକ୍ୟୁଆଇ ୫୫୬ ଥିବା ଦିଲ୍ଲୀ ସବା ଉପରେ ଥିବା‌ବେଳେ କୋଲକାତା ଚତୁର୍ଥ ଓ ମୁମ୍ବାଇ ଷଷ୍ଠ ସ୍ଥାନରେ ରହିଛି। ସବୁଠାରୁ ଖରାପ ଏକ୍ୟୁଆଇ-ବିଶିଷ୍ଟ ଅନ୍ୟ ସହରଗୁଡ଼ିକ ଭିତରେ ପାକିସ୍ତାନର ଲାହୋର ଓ ଚୀନ୍‌ର ଚେଙ୍ଗଡ଼ୁ ରହିଛି। ଏକ୍ୟୁଆଇ ଦୃଷ୍ଟିରୁ ସବୁଠୁ ଖରାପ ପୃଥିବୀର ୧୦ଟି ସହର ହେଉଛି, କ୍ରମାନ୍ବୟରେ: ୧. ଦିଲ୍ଲୀ, ଭାରତ (ଏକ୍ୟୁଆଇ ୫୫୬); ୨. ଲାହୋର, ପାକିସ୍ତାନ (୩୫୪); ୩. ସୋଫିଆ, ବୁଲଗେରିଆ (୧୭୮); ୪. କୋଲକାତା, ଭାରତ (୧୭୭); ୫. ଜାଗ୍ରେବ, କ୍ରୋସିଆ (୧୭୩); ୬. ମୁମ୍ବାଇ, ଭାରତ (୧୬୯); ୭. ବେଲ୍‌ଗ୍ରେଡ, ସର୍ବିଆ (୧୬୫); ୮. ଚେଙ୍ଗଡ଼ୁ, ଚୀନ୍ (୧୬୫); ୯. ସ୍କପ୍‌ଜେ, ନର୍ଥ ମାସିଡୋନିଆ (୧୬୪) ଏବଂ ୧୦. କ୍ରାକୋ, ପୋଲାଣ୍ଡ (ଏକ୍ୟୁଆଇ ୧୬୦)।

ଦିଲ୍ଲୀର ବାୟୁମାନ ପୂର୍ବାନୁମାନ କରୁଥିବା ଏବଂ ପ୍ରଦୂଷକ ଉପାଦାନଗୁଡ଼ିକୁ ଚିହ୍ନଟ କରୁଥିବା ଭାରତୀୟ ବିଷୁବମଣ୍ଡଳୀୟ ପାଣିପାଗ ପ୍ରତିଷ୍ଠାନ (ଆଇଆଇଟିଏମ୍‌)ର ଡିସିସନ ସପର୍ଟ ସିଷ୍ଟମ୍ (ଡିଏସ୍‌ଏସ୍‌) ପକ୍ଷରୁ ଶୁକ୍ରବାର କୁହାଯାଇଛି ‌ଯେ, ଦିଲ୍ଲୀ ପ୍ରଦୂଷଣ ପାଇଁ କେବଳ ଦିଲ୍ଲୀ ଦାୟୀ ନୁହେଁ। ଝାଜାର, ଗୁରୁଗ୍ରାମ, ବାଗପତ, ଗାଜିଆବାଦ ଓ ସୋନିପତ ପରି ଆଖପାଖ ସହରଗୁଡ଼ିକରୁ ପ୍ରଦୂଷିତ ବାୟୁ ପ୍ରବାହିତ ହୋଇ ଦିଲ୍ଲୀ ପ୍ରଦୂଷଣକୁ ବଢ଼ାଇ ଦେଉଛି।

ଡିଏସ୍‌ଏସ୍‌ର କହିବା ଅନୁସାରେ ଦିଲ୍ଲୀର ପିଏମ୍‌୨.୫ (୨.୫ ମାଇକ୍ରୋମିଟରରୁ କମ୍ ବ୍ୟାସବିଶିଷ୍ଟ ସୂକ୍ଷ୍ମାତିସୂକ୍ଷ୍ମ କଣିକା) ପ୍ରଦୂଷଣର ୧୫ ପ୍ରତିଶତ ପାଇଁ ପଡ଼ିଶା ରାଜ୍ୟଗୁଡ଼ିକରେ ହେଉଥିବା ନଡ଼ାପୋଡ଼ି ଦାୟୀ। ନଡ଼ାପୋଡ଼ି ନ ହେଲେ ପ୍ରଦୂଷଣ ୧୫ ପ୍ରତିଶତ କମିଯାଆନ୍ତା। ଦିଲ୍ଲୀରେ ଯେତିକି ଗାଡ଼ିମଟର ଚାଲୁଛି ସେଥିରୁ ନିର୍ଗତ ଧୂଆଁ ଯୋଗୁ ୨୫ ପ୍ରତିଶତ ପ୍ରଦୂଷଣ ହେଉଛି। ଦିଲ୍ଲୀରେ ରହୁଥିବା ଲୋକମାନଙ୍କ ଘରଗୁଡ଼ିକରୁ ୭ ପ୍ରତିଶତ ପ୍ରଦୂଷକ (ପିଏମ୍‌୨.୫ କଣିକା) ନିର୍ଗତ ହେଉଛି। ଶିଳ୍ପ ଓ ତା’ ଆଖପାଖ ଅଞ୍ଚଳରୁ ଆସୁଥିବା ପିଏମ୍‌୨.୫ ପ୍ରଦୂଷଣର ମାତ୍ରା ୯-୧୦ ପ୍ରତିଶତ ବୋଲି ଡିଏସ୍‌ଏସ୍‌ ସୂଚନା ଦେଇଛି। କେନ୍ଦ୍ର ଭୂବିଜ୍ଞାନ ମନ୍ତ୍ରଣାଳୟର ବାୟୁମାନ ପରିଚାଳନା କେନ୍ଦ୍ର ଏସ୍‌ଏଏଫ୍‌ଏଆର୍‌ ପକ୍ଷରୁ କୁହାଯାଇଛି ଯେ, ଶୁକ୍ରବାର ଦିଲ୍ଲୀ ପ୍ରଦୂଷଣର ୩୫ ପ୍ରତିଶତ କେବଳ ନଡ଼ାପୋଡ଼ି ଯୋଗୁ ହୋଇଥିଲା।

ସମ୍ବନ୍ଧିତ ଖବର