ଚୀନ୍‌ ଚ୍ୟାଲେଂଜକୁ ସାମ୍ନା କରିବାକୁ ଭାରତ ପ୍ରସ୍ତୁତ, ଲଦାଖ୍‌ରେ ଯବାନଙ୍କ ପାଇଁ ସ୍ବତନ୍ତ୍ର ଆଶ୍ରୟସ୍ଥଳ

ବିଯୁକ୍ତ ୪୦ ଡିଗ୍ରି ତାପମାତ୍ରା ପାଇଁ ସେନା ପ୍ରସ୍ତୁତ

ନୂଆଦିଲ୍ଲୀ: ଭାରତ-ଚୀନ୍‌ ସୀମା ବିବାଦର କୌଣସି ସ୍ଥାୟୀ ସମାଧାନ ବାହାରି ପାରିନି। ଏପରି ସ୍ଥଳେ ଚୀନ୍‌ ପଟୁ ଆସିବାକୁ ଥିବା ସବୁପ୍ରକାର ଚ୍ୟାଲେଂଜ ସାମ୍ନା କରିବାପାଇଁ ଭାରତୀୟ ସେନା ପ୍ରସ୍ତୁତ ରହିଛି। ଲଦାଖ୍‌ରେ ଭାରତର ସେନା ମୁତୟନ ବୃଦ୍ଧି କରାଯାଇଛି। ଶୀତ ସବୁବେଳେ ଭାରତୀୟ ସେନା ପାଇଁ ଏକ ବଡ଼ ଚ୍ୟାଲେଂଜ ହୋଇଥାଏ। କିନ୍ତୁ ଚଳିତ ଶୀତରେ ଯବାନଙ୍କ ପାଇଁ ସ୍ବତନ୍ତ୍ର ଆଶ୍ରୟସ୍ଥଳର ବ୍ୟବସ୍ଥା କରାଯାଇଛି। ଏହି ସ୍ବତନ୍ତ୍ର ବ୍ୟବସ୍ଥା ଅଧୀନ‌ରେ ବିଯୁକ୍ତ ୪୦ ଡିଗ୍ରି ତାପମାତ୍ରାରେ ବି ଭାରତୀୟ ସେନା ଲଦାଖ୍‌ରେ ରହିପାରିବେ ଏବଂ ଚୀନ୍‌ ପକ୍ଷଙ୍କୁ ସାମ୍ନା କରିପାରିବେ। ସମଗ୍ର ପୂର୍ବ ଲଦାଖ୍‌ରେ ମୁତୟନ ଯବାନମାନଙ୍କ ପାଇଁ ଆଶ୍ରୟସ୍ଥଳ ପ୍ରସ୍ତୁତ ହୋଇଛି। ପ୍ରବଳ ଥଣ୍ଡା ଏବଂ ବରଫ ଝଡ଼ରୁ ଯବାନଙ୍କୁ ସୁରକ୍ଷା ଦେବାପାଇଁ ଅତ୍ୟାଧୁନିକ ମୋଡୁଲାର ସେଲ୍ଟର ବ୍ୟବସ୍ଥା ହୋଇଛି। ବିଦ୍ୟୁତ୍‌, ଜଳ, ଗରମ କରାଯିବା ସୁବିଧା, ସ୍ବାସ୍ଥ୍ୟ ଏବଂ ସ୍ବଚ୍ଛତା ଦିଗରେ ବିଶେଷ ଗୁରୁତ୍ବାରୋପ କରାଯାଇଛି। ଫ୍ରଣ୍ଟ୍‌ ଲାଇନ୍‌ରେ ଥିବା‌ ଟିମ୍‌ ଉଷୁମ ଟେଣ୍ଟ୍‌ରେ ରହିବେ। ଅନ୍ୟପକ୍ଷେ ଜରୁରୀ ଆବଶ୍ୟକତା ପୂରଣ ପାଇଁ ତତ୍‌କ୍ଷଣାତ ପଦକ୍ଷେପ ନିଆଯାଉଛି। ପୂର୍ବ ଲଦାଖ୍‌ ସେକ୍ଟରରେ ପ୍ରତିବର୍ଷ ନଭେମ୍ବର ପରେ ୪୦ ଫୁଟ୍‌ ଉଚ୍ଚତା ଯାଏଁ ବରଫ ଜମିଯା‌ଏ ଏବଂ ତାପମାତ୍ରା ବିଯୁକ୍ତ ୩୦-୪୦ ଡିଗ୍ରୀ ହୋଇଯାଏ।

ସମ୍ବନ୍ଧିତ ଖବର