ଚୀନ୍‌ ସମକକ୍ଷ ହେବା ପାଇଁ ସୀମାରେ ଭିତ୍ତିଭୂମି ସୁଦୃଢ଼ କରୁଛି ଭାରତ

ନୂଆଦିଲ୍ଲୀ: ପୂର୍ବ ଲଦାଖ ସୀମାରେ ଚୀନ୍‌ ସେନାର ପ୍ରସ୍ତୁତି ଓ ଉପସ୍ଥିତିର ସମକକ୍ଷ ହେବା ପାଇଁ ଭାରତୀୟ ଯବାନମାନେ ଗତବର୍ଷର ରକ୍ତାକ୍ତ ସଂଘର୍ଷ ପରଠାରୁ ଅହରହ ଉଦ୍ୟମ ଜାରି ରଖିଛନ୍ତି। ଏପିରିକି କଷ୍ଟସାଧ୍ୟ ପ୍ରତିକୂଳ ପାଗକୁ ଭ୍ରୂକ୍ଷେପ ନକରି ଦୁର୍ଗମ ଇଲାକାରେ ଭାରତୀୟ ସେନା ରାସ୍ତା ନିର୍ମାଣ ଠାରୁ ଆରମ୍ଭ କରି ସୁଡ଼ଙ୍ଗ ଓ ଗିରିପଥ ଖୋଲିବା ଆଦି କାର୍ଯ୍ୟ ଜାରି ରଖିଛି। ସଂପୃକ୍ତ ଅଞ୍ଚଳରେ ଯବାନମାନଙ୍କ ଯାତାୟାତକୁ ଯୁଦ୍ଧକାଳୀନ ଭିତ୍ତିରେ ସୁଗମ କରିବା ସହ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ପ୍ରଣାଳୀର ନିୟୋଜନ ପାଇଁ ଦୀର୍ଘ ବର୍ଷେ ହେଲା ଭାରତୀୟ ସେନାର ଉଦ୍ୟମ ଉଲ୍ଲେଖନୀୟ ରହିଛି। ଅବଶ୍ୟ ସୀମାରେ ଭିତ୍ତିଭୂମି ନିର୍ମାଣ ଦୃଷ୍ଟିରୁ ଚୀନ୍‌ ତୁଳନାରେ ଭାରତ ଢେର ପଛରେ ରହିବ। ମାତ୍ର ସେହି ଫରକ ଦୂର କରିବା ପାଇଁ ଯାବତୀୟ ପ୍ରଚେଷ୍ଟା ବଳବତ୍ତର ରହିଛି। ଏପରିକି ୫୦ ହଜାରରୁ ୬୦ ହଜାର ଯାଏ ଭାରତୀୟ ଯବାନ ଆଗୁଆ ଘାଟିମାନଙ୍କରେ ରହିବା ଆରମ୍ଭ କରିଛନ୍ତି ବୋଲି ଜଣେ ବରିଷ୍ଠ ସାମରିକ ଅଧିକାରୀ କହିଛନ୍ତି।

ସେହିପରି ସୀମାରେ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ଶାଣିତ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଆସାମର ଲକ୍ଷ୍ମୀପୁର ଠାରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସୀମା ସଡ଼କ ସଂଗଠନ(ବିଆର୍‌ଓ) ଦ୍ବାରା ନିର୍ମିତ ୧୨ଟି ରାସ୍ତାର ଉଦ୍‌ଘାଟନ କରିଥିଲେ। ସେଥି ମଧ୍ୟରେ କିମିନ-ପୋଟିନ୍‌ ରାସ୍ତାର ଦୋହରୀକରଣ ସମେତ ଅରୁଣାଚଳପ୍ରଦେଶରେ ୯ଟି ଏବଂ ଲଦାଖ ଓ ଜାମ୍ମୁକାଶ୍ମୀରରେ ଗୋଟିଏ ଲେଖାଏଁ ରାସ୍ତା ରହିଛି। ଭାରତ ସବୁବେଳେ ଶାନ୍ତି କାମନା କଲେ ବି କେହି ଆକ୍ରାମକ ମନୋଭାବ ପୋଷଣ କଲେ ତାହାର ଜବାବ ମଧ୍ୟ ଦେଇଜାଣେ ବୋଲି ଶ୍ରୀ ସିଂହ ଏହି ଅବସରରେ କହିଥିଲେ। ଅପରପକ୍ଷେ, ଚୀନ୍‌ ଓ ପାକିସ୍ତାନ ସୀମାରେ ଚଳନ୍ତି ସ୍ଥିତିର ସମୀକ୍ଷା କରିବା ପାଇଁ ସ୍ଥଳସେନା ମୁଖ୍ୟ ଏମ୍‌ ଏମ୍‌ ନରବଣେଙ୍କ ଅଧ୍ୟକ୍ଷତାରେ ଗୁରୁବାର ଠାରୁ ଏକ ଦୁଇ ଦିନିଆ କମାଣ୍ଡରସ୍ତରୀୟ ବୈଠକ ଆରମ୍ଭ ହୋଇଛି।

ସମ୍ପ୍ରତି ପୂର୍ବ ଲଦାଖ ସୀମାର ଉଷ୍ଣ ପ୍ପସ୍ରବଣ, ଗୋଗ୍ରା ଓ ଡେମଚୋକ୍‌ ଅଞ୍ଚଳରେ ଚୀନ୍‌ ସେନା ସ୍ଥଗିତ କରି ରଖିଥିବା ସୈନ୍ୟପ୍ରତ୍ୟାହାର ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାର ନାମ ଗନ୍ଧ ଉଠାଉନାହିଁ। ତେବେ ଦେପସାଙ୍ଗ ଉପତ୍ୟକାରେ ଭାରତୀୟ ଯବାନଙ୍କ ପଇଁତରାକୁ ଆଉ ପୂର୍ବ ଭଳି ରୋକିପାରିନାହିଁ। ଅପରପକ୍ଷେ, ପୂର୍ବ ଭଳି ଚୀନୀ ସେନା ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଭିତ୍ତିଭୂମିର ବିକାଶ ସହ ହେଲିପ୍ୟାଡ୍‌ ନିର୍ମାଣ ଏବଂ ଅଧିକ ସଂଖ୍ୟକ ସୈନ୍ୟ ଓ କ୍ଷେପଣାସ୍ତ୍ର ମୁତୟନ କରିଛି। ସେହିପରି ଭାରତ ମଧ୍ୟ ନିଜର ସ୍ଥିତିକୁ ଅଧିକ ସୁଦୃଢ଼ କରିବା ପାଇଁ କୌଣସି ସୁଯୋଗକୁ ହାତ ଛଡ଼ା କରିନାହିଁ।

ସମ୍ବନ୍ଧିତ ଖବର