ଭାରତରେ ଦୁଇଟି କରୋନା ଟୀକା ପରୀକ୍ଷଣ ସ୍ତରରେ ରହିଛି : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଭାରତରେ ଏବେ ଭାରତ ବାୟୋଟେକ ଓ କାର୍ଡିଲା ପକ୍ଷରୁ ଟୀକା ଉପରେ ଗବେଷଣା ଚାଲିଛି । ଆଇସିଏମଆରର ଅନୁମତି ପରେ ଉଭୟ ଟୀକା ପଶୁଙ୍କ ଉପରେ ସଫଳତାର ସହ ପରୀକ୍ଷଣ ହୋଇଛି । ଏହି ଦୁଇଟି ଟୀକାର ଫେଜ-୧ ଓ ଫେଜ-୨ ପରୀକ୍ଷା ପାଇଁ ଡିସିଜିଆଇ ଅନୁମତି ଦେଇଛି । ତେବେ ପରୀକ୍ଷଣ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଓଏସଡି ରାଜେଶ ଭୁଷଣ।

ସେ କହିଛନ୍ତି ଭାରତରେ ପ୍ରାୟ ୧୩୦ କୋଟି ଲୋକ ରହୁଥିଲେ ମଧ୍ୟ କରୋନା ମୁକାବିଲା କ୍ଷେତ୍ରରେ ଏହା ଭଲ ସଫଳତା ପାଇଛି । ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ବଢିଚାଲିଥିଲେ ମଧ୍ୟ ପ୍ରତି ନିୟୁତ ଜନସଂଖ୍ୟା ପିଛା ପଜିଟିଭ ମାମଲା ସଂଖ୍ୟା ବିଶ୍ୱରେ ସର୍ବନିମ୍ନ ସ୍ତରରେ ରହିଛି ।
କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଡବ୍ଲୁଏଚଓ ରିପୋର୍ଟ ଅନୁସାରେ ଭାରତରେ ପ୍ରତି ନିୟୁତ ଲୋକ ପିଛା ୫୩୮ଟି ସଂକ୍ରମଣ ମାମଲା ଦେଖାଦେଇଛି । କେତେକ କରୋନା ପ୍ରଭାବିତ ଦେଶରେ ଏହା ଭାରତଠାରୁ ୧୫-୧୬ ଗୁଣ ଅଧିକ ରହିଛି । ସେହିପରି ଭାରତରେ ପ୍ରତି ନିୟୁତ ଲୋକଙ୍କ ପିଛା କରୋନା ଜନିତ ମୃତ୍ୟୁସଂଖ୍ୟା ୧୫ ରହିଛି । କିଛି ଦେଶରେ ଏହି ସଂଖ୍ୟା ଭାରତଠାରୁ ପ୍ରାୟ ୪୦ ଗୁଣ ଅଧିକ ।

ସେ କହିଛନ୍ତି ଯେ ଭାରତରେ ଏବେ ସକ୍ରିୟ ମାମଲା ସଂଖ୍ୟା ୨ ଲକ୍ଷ ୬୯ ହଜାର ରହିଛି । ଏହା ଦର୍ଶାଉଛି ଯେ ଭାରତ କରୋନା ପରିସ୍ଥିତକୁ ଭଲଭାବରେ ପରିଚାଳନା କରିଛି, ଏଣୁ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ କମ ବୋଝ ପଡ଼ୁଛି । ଏହି ଅବସରରେ ଆଇସିଏମଆରର ବରିଷ୍ଠ ବୈଜ୍ଞାନିକ ନିବେଦିତା ଗୁପ୍ତା କହିଛନ୍ତି ଯେ ଭାରତରେ ଏବେ ଦିନକୁ ୨.୬ ଲକ୍ଷ ଟି ନମୁନା ପରୀକ୍ଷା କରାଯାଉଛି ।

ସମ୍ବନ୍ଧିତ ଖବର