ଟିକାକରଣରେ ଭାରତ ବିଶ୍ବର ଦ୍ରୁତତମ ରାଷ୍ଟ୍ର, ୯୯ ଦିନରେ ୧୪ କୋଟିରୁ ଅଧିକ ଟିକା ପ୍ରଦାନ

ନୂଆଦିଲ୍ଲୀ: ମାତ୍ର ୯୯ ଦିନରେ ୧୪ କୋଟିରୁ ଅଧିକ ଟିକା ପ୍ରଦାନ କରି ଭାରତ ବିଶ୍ବର ଦ୍ରୁତତମ ଟିକାକରଣ ରାଷ୍ଟ୍ର ହେବାର ବିରଳ ସୌଭାଗ୍ୟ ଅର୍ଜନ କରିଛି। ଗତ ଜାନୁଆରି ୧୬ ତାରିଖରୁ ଦେଶରେ ଆରମ୍ଭ ହୋଇଥିବା ବିଶ୍ବର ଏହି ବୃହତ୍ତମ ଟିକାକରଣ ପ୍ରକ୍ରିୟାରେ ରବିବାର ସକାଳ ୭ଟା ସୁଦ୍ଧା ମୋଟ ୧୪,୦୯,୧୬,୪୧୭ଟି କୋଭିଡ୍‌ ଟିକାର ମାତ୍ରା ବିଭିନ୍ନ ବର୍ଗର ହିତାଧିକାରୀଙ୍କୁ ପ୍ରଦାନ କରାସରିଛି। ସେଥି ମଧ୍ୟରୁ କେବଳ ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତରପ୍ରଦେଶ, ଗୁଜରାଟ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ କେରଳ ଆଦି ୮ଟି ରାଜ୍ୟରେ ୫୮.୮୩ ପ୍ରତିଶତ ଟିକା ପ୍ରଦାନ କରାଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସେହିପରି ଟିକାକୃତ ହୋଇଥିବା ହିତାଧିକାରୀଙ୍କ ମଧ୍ୟରୁ ୯୨,୯୦,୫୨୮ ଜଣ ସ୍ବାସ୍ଥ୍ୟକର୍ମୀ ସେମାନଙ୍କର ପ୍ରଥମ ମାତ୍ରା ନେଇଥିବା ବେଳେ ୫୯,୯୫,୬୩୪ ଜଣ ସ୍ବାସ୍ଥ୍ୟ କର୍ମୀ ଦ୍ବିତୀୟ ମାତ୍ରା ଟିକା ନେଇଛନ୍ତି। ଅପରପକ୍ଷେ, ୪,୯୬,୫୫,୭୫୩ ଜଣ ବରିଷ୍ଠ ନାଗରିକଙ୍କୁ ପ୍ରଥମ ମାତ୍ରା ଦିଆଯାଇଥିବା ବେଳେ ୭୭,୧୯,୭୩୦ ଜଣ ବୟୋଜ୍ୟେଷ୍ଠ ସେମାନଙ୍କର ଦ୍ବିତୀୟ ମାତ୍ରା ନେଇ ସାରିଛନ୍ତି। ସେହିପରି ୪୫ ବର୍ଷରୁ ୬୦ ବର୍ଷ ପର୍ଯ୍ୟନ୍ତ ହିତାଧିକାରୀଙ୍କ ମଧ୍ୟରୁ ୪,୭୬,୮୩,୭୯୨ ଜଣ ପ୍ରଥମ ମାତ୍ରା ଟିକା ନେଇଥିବା ବେଳେ ୨୩,୩୦,୨୩୮ ଜଣ ଦ୍ବିତୀୟ ମାତ୍ରା ନେଇ ସାରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର