ନୂଆଦିଲ୍ଲୀ: ଭାରତ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଦୂଷିତ ଦେଶ ଭାବେ ଉଭା ହୋଇଛି। ସୁଇସ୍ ସଂସ୍ଥା ଆଇକ୍ୟୁଏୟାର୍ର ବିଶ୍ୱ ବାୟୁ ଗୁଣବତ୍ତା ରିପୋର୍ଟ ୨୦୨୩ ଅନୁଯାୟୀ, ୨୦୨୩ରେ ପିଏମ୍ ୨.୫ କଣିକାର ସାନ୍ଦ୍ରତା ବାର୍ଷିକ ହାରାହାରି ୫୪.୪ ମାଇକ୍ରୋଗ୍ରାମ୍ ପ୍ରତି ଘନ ମିଟର ସହିତ ଭାରତର ବାୟୁ ଗୁଣବତ୍ତା କେବଳ ଦୁଇଟି ଦେଶ- ବାଂଲାଦେଶ ଓ ପାକିସ୍ତାନ ତୁଳନାରେ ଭଲ ଥିଲା।
ପିଏମ୍ ୨.୫ କଣିକାର ସାନ୍ଦ୍ରତା ବାଂଲାଦେଶରେ ୭୪ ମାଇକ୍ରୋଗ୍ରାମ ରହିଥିବା ବେଳେ ପାକିସ୍ତାନରେ ଏହା ପ୍ରତି ଘନମିଟରରେ ୭୩.୭ ମାଇକ୍ରୋଗ୍ରାମ ରହିଛି। ୧୩୪ଟି ଦେଶ ମଧ୍ୟରୁ ଏହି ଦୁଇଟି ଦେଶ ଭାରତକୁ ପଛରେ ପକାଇ ଯଥାକ୍ରମେ ବିଶ୍ୱର ସବୁଠାରୁ ପ୍ରଦୂଷିତ ଏବଂ ଦ୍ବିତୀୟ ସର୍ବାଧିକ ପ୍ରଦୂଷିତ ଦେଶରେ ପରିଣତ ହୋଇଛି। ଗତ ବର୍ଷ ଭାରତ ସବୁଠୁ ତଳୁ ଅଷ୍ଟମ ସ୍ଥାନରେ ଥିଲା। ୨୦୨୨ରେ ଭାରତରେ ହାରାହାରି ପିଏମ୍ ୨.୫ ସାନ୍ଦ୍ରତା ୫୩.୩ ମାଇକ୍ରୋଗ୍ରାମ ପ୍ରତି ଘନମିଟର ଥିଲା।
ସେପଟେ ବିହାରର ବେଗୁସରାଇକୁ ବିଶ୍ୱର ସବୁଠାରୁ ପ୍ରଦୂଷିତ ମେଟ୍ରୋପଲିଟାନ ଅଞ୍ଚଳ ବୋଲି କୁହାଯାଇଛି। ଏଥିରେ ପିଏମ୍ ୨.୫ କଣିକାର ସାନ୍ଦ୍ରତା ହାରାହାରି ଘନମିଟର ପିଛା ୧୧୮.୯ ମାଇକ୍ରୋଗ୍ରାମ୍ ଥିଲା। ଅନ୍ୟପକ୍ଷରେ ଆଇକ୍ୟୁଏୟାର ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ବିଶ୍ବର ସବୁଠାରୁ ଖରାପ ବାୟୁଗୁଣବତ୍ତା ବିଶିଷ୍ଟ ରାଜଧାନୀ ପାଲଟିଛି। ୨୦୨୩ରେ ଦିଲ୍ଲୀର ପିଏମ୍ ୨.୫ ସ୍ତର ଘନମିଟର ପିଛା ୯୨.୭ ମାଇକ୍ରୋଗ୍ରାମକୁ ବୃଦ୍ଧି ପାଇଛି। ୨୦୨୨ରେ ଏହା ଘନମିଟର ପିଛା ୮୯.୧ ମାଇକ୍ରୋଗ୍ରାମ୍ ଥିଲା। କ୍ରମାଗତ ଚତୁର୍ଥ ଥର ପାଇଁ ଦିଲ୍ଲୀ ବିଶ୍ୱର ସବୁଠାରୁ ପ୍ରଦୂଷିତ ରାଜଧାନୀ ଭାବେ ଉଭା ହୋଇଛି। ବିଶ୍ୱର ଶ୍ରେଷ୍ଠ ୧୧ଟି ପ୍ରଦୂଷିତ ସହର ମଧ୍ୟରୁ ୧୦ଟି ଭାରତର ହୋଇଥିବା ବେଳେ ଅନ୍ୟଟି ହେଉଛି ପାକିସ୍ତାନର ଲାହୋର। ବରିଷ୍ଠ କଂଗ୍ରେସ ସାଂସଦ ଶଶି ଥରୁର ଏହାକୁ ଜନସ୍ୱାସ୍ଥ୍ୟ ଜରୁରିକାଳୀନ ପରିସ୍ଥିତି ବୋଲି କହିଛନ୍ତି। ଏକ ଦାୟିତ୍ୱବାନ ସରକାର ଏ ଦିଗରେ ବିଶେଷ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ସେ ମତ ରଖିଛନ୍ତି।