କରୋନା ମୁକାବିଲା ଲାଗି ହାତ ମିଳାଇଲେ ଭାରତ ଓ ଇସ୍ରାଏଲ, ନିର୍ମାଣ ହେବ ୩୦ ସେକେଣ୍ଡରେ ଫଳାଫଳ ଜଣାଉଥିବା ରାପିଡ ଟେଷ୍ଟିଂ କିଟ

ନୂଆଦିଲ୍ଲୀ : ଅତି ଦ୍ରୁତ ଗତିରେ କରୋନା ପରୀକ୍ଷା କରିପାରୁଥିବା ଏକ ଟେଷ୍ଟ କିଟ ଉଦ୍ଭାବନ କରିବାକୁ ଭାରତ ଓ ଇସ୍ରାଏଲ ହାତ ମିଳାଇଛନ୍ତି । ଉଭୟ ଦେଶ ଏପରି ଏକ ଟେଷ୍ଟିଂ କିଟ ବିକାଶ କରିବା ଉପରେ କାମ କରୁଛନ୍ତି ଯାହାକି ମାତ୍ର ୩୦ ସେକେଣ୍ଡରେ ଫଳାଫଳ ଜଣାଇବ ।
ନୂଆଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସ ପକ୍ଷରୁ କୁହାଯାଇଛି ଇସ୍ରାଏଲର ପ୍ରତିରକ୍ଷା ବିଭାଗ ଓ ଭାରତର ପ୍ରତିରକ୍ଷା ମନ୍ତ୍ରାଳୟ ଅଧିନସ୍ଥ ଡିଆରଡିଓ ଏହି କିଟ ନିର୍ମାଣ ଦିଗରେ କାମ ଆରମ୍ଭ କରିବାକୁ ଯାଉଛନ୍ତି । ଖୁବଶୀଘ୍ର ଇସ୍ରାଏଲର ତେଲ ଅଭିଭରୁ ଏକ ବିଶେଷଜ୍ଞ ଦଳ ନୂଆଦିଲ୍ଲୀ ଆସି ଡିଆରଡିଓ ଇଂଜିନିୟରଙ୍କ ସହ ମିଶି କାମ କରିବେ ।

କେବଳ ଏତିକି ନୁହେଁ, ଭାରତକୁ ସହାୟତା କରିବାକୁ ଇସ୍ରାଏଲ ପକ୍ଷରୁ ଆଉ କେତେକ ସହାୟତା କରାଯିବ । ଇସ୍ରାଏଲ ପକ୍ଷରୁ ନିର୍ମାଣ କରାଯାଇଥିବା କେତେକ ସ୍ୱତନ୍ତ୍ର ପ୍ରକାରର ମେକାନିକାଲ ଭେଣ୍ଟିଲେଟର ଭାରତକୁ ପ୍ରଦାନ କରାଯିବ ।

ଗତ ମାସରେ କରୋନା ମୁକାବିଲା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ଇସ୍ରାଏଲ ପକ୍ଷରୁ ଏସବୁ ସହାୟତା କରାଯାଇଛି ।
ଇସ୍ରାଏଲର ଏକ ଫାର୍ମା କମ୍ପାନି ପ୍ଲୁରିଷ୍ଟେମ ଥେରେପେଟିକ୍ସ ପକ୍ଷରୁ କରୋନା ଚିକିତ୍ସା ପାଇଁ ଏକ ଔଷଧର ବିକାଶ କରାଯାଇଛି । ଏବେ ଏହାର ପରୀକ୍ଷଣ ଚାଲିଛି ।

ସମ୍ବନ୍ଧିତ ଖବର