ନୂଆଦିଲ୍ଲୀ : ମଙ୍ଗଳବାର ଭୋର ୩.୩୦ମିନିଟ୍ ସମୟରେ ଭାରତୀୟ ବାୟୁସେନା ଭାରତ-ପାକ୍ର ନିୟନ୍ତ୍ରଣ ରେଖାକୁ ପାର୍ କରି ବାଲାକୋଟସ୍ଥିତ ଜୈସ୍-ଏ-ମହମ୍ମଦର ଶିବିର ଧ୍ବଂସ କରି ପୁଲଓ୍ଵାମା ଆକ୍ରମଣର ପ୍ରତିଶୋଧ ନେଇଥିଲା । ଏହି ଆକ୍ରମଣରେ ଭାରତୀୟ ବାୟୁସେନା ୧୨ଟି ମିରେଜ୍ ୨୦୦୦ ଲଢ଼ୁଆ ବିମାନ ବ୍ୟବହାର କରିଥିବା ବେଳେ ୧୦୦୦କିଲୋ ବୋମା ପକାଇ ଆତଙ୍କବାଦୀଙ୍କୁ ନିହତ କରିଥିଲେ । ପାଖାପାଖି ୩୦୦ଆତଙ୍କବାଦୀ ଏହି ଆକ୍ରମଣରେ ନିହତ ହୋଇଥିବା ଜଣା ପଡ଼ିଛି ।
ତେବେ ପୂର୍ବରୁ ଭାରତୀୟ ବାୟୁସେନାର ଯୋଜନା କିଛି ଅଲଗା ରହିଥିଲା । ପ୍ରଥମେ ବାହାବଲପୁର ଏବଂ ମୁରିଦକେରେ ଥିବା ଜୈସ୍-ଏ-ମହମ୍ମଦ ଏବଂ ଲସ୍କର-ଇ-ତୋଇବାର ମୁଖ୍ୟ କାର୍ଯ୍ୟାଳୟକୁ ଭାରତୀୟ ବାୟୁସେନା ଧ୍ୱଂସ କରିବାର ଟାର୍ଗେଟ ରଖିଥିବା ବେଳେ ଶେଷ ମୂହୁର୍ତ୍ତରେ ଯୋଜନାରେ ପରିବର୍ତ୍ତନ ଅଣା ଯାଇଥିଲା ।
/sambad/media/post_attachments/wp-content/uploads/2019/02/images-55-300x168.jpg)
ଦୁଇଟି ମୁଖ୍ୟ କାରଣ ପାଇଁ ଏହି ଯୋଜନାରେ ପରିବର୍ତ୍ତନ ଅଣା ଯାଇଥିବା ଜଣାପଡ଼ିଛି । ପ୍ରଥମ କାରଣ ହେଲା ଜୈସ୍-ଏ-ମହମ୍ମଦ ଏବଂ ଲସ୍କର-ଇ-ତୋଇବାର ମୁଖ୍ୟ କାର୍ଯ୍ୟାଳୟ ପାଖରେ ଅଧିକ ଜନବସତି ଥିବାରୁ ସାଧାରଣ ଜନତାଙ୍କ ଉପରେ ଆକ୍ରମଣର ପ୍ରଭାବ ପଡ଼ିବାର ଆଶଙ୍କା ରହିଥିଲା ।
ଦ୍ୱିତୀୟରେ, ସେଠାରେ ଆକ୍ରମଣ କରାଯାଇଥିଲେ ପାକିସ୍ତାନର ବାୟୁସେନା ଖୁବ୍ ସହଜରେ ଏହାର ପ୍ରତିରୋଧ କରି ପାରିଥାନ୍ତେ । ଏହି ଦୁଇଟି କାରଣକୁ ଆଖି ଆଗରେ ରଖି ଭାରତୀୟ ବାୟୁସେନା ନିଜ ଯୋଜନାରେ ପରିବର୍ତ୍ତନ ଆଣି ବାଲାକୋଟରେ ଥିବା ଜୈସ୍-ଏ-ମହମ୍ମଦର ପ୍ରଶିକ୍ଷଣ ଶିବରକୁ ଟାର୍ଗେଟ କରିଥିଲା । କାରଣ ଜୈସ୍-ଏ-ମହମ୍ମଦର ପ୍ରଶିକ୍ଷଣ ଶିବର ପାହାଡ଼ ଉପରେ ଥିବାରୁ ଆକ୍ରମଣରେ କୌଣସି ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ିବାର ଆଶଙ୍କା ନଥିଲା ।