୫ଜି ଓ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍‌ସ୍ କ୍ଷେତ୍ରରେ ସହଯୋଗ ବୃଦ୍ଧି ଲାଗି ଗୁରୁତ୍ବପୂର୍ଣ୍ଣ ସାଇବର୍ ସିକ୍ୟୁରିଟି ଚୁକ୍ତି ଚୂଡ଼ାନ୍ତ କଲେ ଭାରତ ଓ ଜାପାନ

ନୂଆଦିଲ୍ଲୀ: ୫ଜି ଏବଂ କ୍ରିଟିକାଲ୍ ଇନ୍‌ଫର୍ମେସନ୍ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌ କ୍ଷେତ୍ରରେ ସହଯୋଗ ବୃଦ୍ଧି ନିମନ୍ତେ ଆଜି ଭାରତ ଓ ଜାପାନ୍‌‌ ସାଇବର୍-ସିକ୍ୟୁରିଟି ଚୁକ୍ତି ଚୂଡ଼ାନ୍ତ କରିଛନ୍ତି। ଏହାଛଡ଼ା, ପୃଥକ୍ ପୃଥକ୍ ଯୋଗାଣ ଶୃଙ୍ଖଳ ସହ ଅବାଧ ଓ ଉନ୍ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ନିମନ୍ତେ କାର୍ଯ୍ୟ କରିବାକୁ ଦୁଇ ଦେଶ ଶପଥ ନେଇଛନ୍ତି।

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏବଂ ଜାପାନର ବୈଦେଶିକ ମନ୍ତ୍ରୀ ତୋସିମିତ୍‌ସୁ ମୋତେଗିଙ୍କ ମଧ୍ୟରେ ବୈଠକ ପରେ ଭାରତ ଓ ଜାପାନ ଦ୍ବାରା ଜାରି ମିଳିତ ବିବୃତିରେ ଉପରୋକ୍ତ ପ୍ରସଙ୍ଗ ଉଲ୍ଲେଖ କରାଯାଇଛି।

କ୍ରିଟିକାଲ୍‌ ଇନ୍‌ଫର୍ମେସନ୍ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌ କ୍ଷେତ୍ରରେ ସାମର୍ଥ୍ୟ ଗଠନ, ଗବେଷଣା ଓ ବିକାଶ ଏବଂ ନିରାପତ୍ତା ଓ ନମନୀୟତା, ୫ଜି, ଇଣ୍ଟର୍‌ନେଟ୍‌ ଅଫ୍ ଥିଙ୍ଗ୍‌ସ୍ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍‌ରେ ପ୍ରସ୍ତାବିତ ସାଇବର୍-ସିକ୍ୟୁରିଟି ରାଜିନାମା ସହଯୋଗ ବୃଦ୍ଧି କରିବ।

Image Courtesy of DNA India

‘ଚତୁର୍ପାକ୍ଷିକ ନିରାପତ୍ତା ଆଲୋଚନା’ର ଦ୍ବିତୀୟ ମନ୍ତ୍ରୀସ୍ତରୀୟ ବୈଠକରେ ସେମାନଙ୍କ ଅଷ୍ଟ୍ରେଲୀୟ ଏବଂ ଆମେରିକୀୟ ପ୍ରତିପକ୍ଷଙ୍କ ସହ ଅଂଶ ଗ୍ରହଣ କରିବାର ଦିନକ ପରେ ଜାପାନ ଓ ଭାରତର ବୈଦେଶିକ ମନ୍ତ୍ରୀ ପରସ୍ପରଙ୍କୁ ଭେଟିଥିଲେ।

ସାମ୍ପ୍ରତିକ ସମୟରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଅଧିକ ଗୁରୁତ୍ବ ବଢ଼ିଯାଇଥିବା ନେଇ ଆଲୋଚନା ବେଳେ ଜୟଶଙ୍କର ଓ ମୋତେଗି ଏକମତ ହୋଇଥିଲେ। ସେ ଅଞ୍ଚଳର ମଙ୍ଗଳ ନିମନ୍ତେ ଭାରତ ଓ ଜାପାନ ଏକତ୍ର କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର