ଆରମ୍ଭ ହେଲା ଭାରତ-ଜାପାନ ନୌସେନାର ସମରାଭ୍ୟାସ

ନୂଆଦିଲ୍ଲୀ : ବିଶ୍ବରେ ଚୀନର ଉତ୍ପାତ ବଢୁଥିବାରୁ ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭାରତ-ଅଷ୍ଟ୍ରେଲିଆ-ଆମେରିକା ଓ ଜାପାନ ମଧ୍ୟରେ ଥିବା କ୍ବାଡ ମେଣ୍ଟର ଗୁରୁତ୍ବ ବଢିଯାଇଛି । ଚୀନ ଆହ୍ବାନର ମୁକାବିଲା ପାଇଁ ଏହି ଦେଶମାନେ ପରସ୍ପର ମଧ୍ୟରେ ସାମରିକ ସହଯୋଗକୁ ଆହୁରି ବଢାଇଦେଇଛନ୍ତି । କିଛିଦିନ ତଳେ ଭାରତ ଓ ଅଷ୍ଟ୍ରେଲିଆର ନୌସେନା ପାସେକ୍ସ ସମରାଭାସ କରିଥିବାବେଳେ ଆଜିଠାରୁ ଭାରତ ଓ ଜାପାନ ନୌ ସମରାଭ୍ୟାସ କରିଛନ୍ତି । ଆରବ ସାଗରରେ ଏହି  ସମରାଭ୍ୟାସ ଆରମ୍ଭ ହୋଇଛି । ଏଥିରେ ଭାରତ ଓ ଜାପାନର ଯୁଦ୍ଧ ଜାହାଜ, ବୁଡ଼ାଯାହାଜ, ଡେଷ୍ଟ୍ରୟର ଆଦି ଅଂଶଗ୍ରହଣ କରିଛନ୍ତି ।

କିଛିମାସ ତଳେ ଭାରତ ଓ ଆମେରିକାର ନୌସେନା ମଧ୍ୟ ଭାରତ ମହାସାଗରରେ ସମାନ ପ୍ରକାରର ସମରାଭ୍ୟାସ କରିଥିଲେ । ଦକ୍ଷିଣଚୀନ ସାଗରରୁ ଆମେରିକାର ୟୁଏସଏସ ନିମିଜ ଫେରିବା ବେଳେ ଭାରତୀୟ ନୌସେନା ସହ  ସମରାଭ୍ୟାସ କରିଥିଲା । ଚୀନର ପ୍ରାଦୁର୍ଭାବ ପରିପ୍ରେକ୍ଷୀରେ ଏସବୁ  ସମରାଭ୍ୟାସକୁ ଗୁରୁତ୍ବ ଦିଆଯାଉଛି ।

ଦୁଇଦିନ ତଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଜାପାନ ପ୍ରଧାନମନ୍ତ୍ରୀ ସୁଗା ୟୋଶିହିଦେଙ୍କ ସହ କଥାବାର୍ତ୍ତା କରି ପାରସ୍ପରିକ ସହଯୋଗ ବଢାଇବା ଲାଗି ସହମତ ହୋଇଥିଲେ । ଅବାଧ, ଖୋଲା ଓ ସମ୍ମିଳିତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଚଳର ଆର୍ଥିକ ରୂପରେଖ ନମନୀୟ ଯୋଗାଣ ଶୃଙ୍ଖଳା ଉପରେ ଆଧାରିତ ହେବା ଦରକାର ବୋଲି ଦୁଇ ନେତା ଗୁରୁତ୍ୱ ଦେବା ସହ ଭାରତ, ଜାପାନ ଓ ଅନ୍ୟ ସମାନ ବିଚାରଧାରା ଥିବା ଦେଶଗୁଡିକୁ ସହଯୋଗ ପାଇଁ ଆମନ୍ତ୍ରଣ ଜଣାଇଥିଲେ ।

ସମ୍ବନ୍ଧିତ ଖବର