ଚୀନ ବିରୁଦ୍ଧରେ ଏକାଠି ହେବେ ଭାରତ-ଜାପାନ, ସେପ୍ଟେମ୍ବରରେ ସ୍ୱାକ୍ଷରିତ ହେବ ସାମରିକ ଚୁକ୍ତି

ନୂଆଦିଲ୍ଲୀ : ଆସନ୍ତା ସେପ୍ଚେମ୍ବର ମାସରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମଧ୍ୟରେ ଭିଡିଓକନଫରେନ୍ସିଂ ମାଧ୍ୟମରେ ଏକ ଶିଖର ଆଲୋଚନା ଅନୁଷ୍ଠିତ ହେବ । ଅନେକ ଦୃଷ୍ଟିକୋଣରୁ ଏହି ଆଲୋଚନାକୁ ବିଶେଷଜ୍ଞମାନେ ବିଶେଷ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଏହାର କାରଣ ହେଉଛି ଉଭୟ ଦେଶ ମଧ୍ୟରେ କେତେକ ସାମରିକ ଓ ବାଣିଜ୍ୟିକ ଚୁକ୍ତି ହୋଇପାରେ । ଏସବୁ ଚୁକ୍ତି ଚୀନକୁ ଦୃଷ୍ଟିରେ ରଖି କରାଯିବ ।

ଏହି ଶିଖର ଆଲୋଚନା ଗତ ବର୍ଷ ଡିସେମ୍ବରରେ ଗୁଆହାଟିରେ ହେବାର ଥିଲା । କିନ୍ତୁ ନାଗରିକତା ଆଇନ ବିରୋଧୀ ହିଂସା ଯୋଗୁଁ ଏହାକୁ ରଦ୍ଦ କରାଯାଇଥିଲା ।

ଉଭୟ ଭାରତ ଓ ଜାପାନ ଚୀନର ଦୌରାତ୍ମ୍ୟରେ ପୀଡିତ ଥିବାରୁ ଦୁଇଦେଶ ମଧ୍ୟରେ ସାମରିକ ଚୁକ୍ତି କରାଯାଉଛି । ଦୁଇ ଦେଶ ମଧ୍ୟରେ ଦୁଇଟି ସାମରିକ ଚୁକ୍ତି ଚୂଡ଼ାନ୍ତ ହୋଇଛି । ପ୍ରଥମଟି ହେଉଛି ମିଲିଟାରି ଲଜିଷ୍ଟିକ୍ସ ଚୁକ୍ତି ଓ ଅନ୍ୟଟି ହେଉଛି ଆକସା (ଆକ୍ୱିଜିସନ ଏଣ୍ଡ କ୍ରସ-ସର୍ଭିସିଂ ଆଗ୍ରିମେଣ୍ଟ) ଚୁକ୍ତି । ଏହି ଦୁଇ ଚୁକ୍ତି ସ୍ୱାକ୍ଷରିତ ହେବା ପରେ ଉଭୟ ଦେଶର ଯୁଦ୍ଧ ବିମାନ ଓ ଜାହାଜ ପରସ୍ପରର ବାୟୁସେନା ଘାଟି ଓ ବନ୍ଦରର ବ୍ୟବହାର କରିପାରିବେ । ପୂର୍ବରୁ ଭାରତ ଆମେରିକା ଓ ଋଷିଆ ସହ ଏପରି ଚୁକ୍ତି କରିସାରିଛି ।

ଅନ୍ୟପକ୍ଷରେ ଚୀନରୁ କେତେକ ଜାପାନୀ କମ୍ପାନି ନିଜର କାରଖାନା ଉଠାଇ ଆଣୁଥିବାରୁ ସେଗୁଡ଼ିକୁ ଭାରତରେ ସ୍ଥାପନ କରିବାକୁ ଦୁଇଦେଶ ମଧ୍ୟରେ ଚୁକ୍ତି ହୋଇପାରେ ।

ସମ୍ବନ୍ଧିତ ଖବର