ନୂଆଦିଲ୍ଲୀ: ଜାତିସଂଘରେ ଭାରତର ପ୍ରତିନିଧିତ୍ୱକୁ ନେଇ ନୂଆ ବର୍ଷରେ ନୂଆ ଆଶା ସଂଚାର ହୋଇଛି । ଆଜିଠାରୁ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ କାମ ଆରମ୍ଭ କରିବ। ଅଷ୍ଟମ ଥର ପାଇଁ ଭାରତ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ନେବାକୁ ଯାଉଛି। ଏ ନେଇ  ଦୁଇ ବର୍ଷ ପାଇଁ ଭାରତ ନିର୍ବାଚିତ ହୋଇଥିବା ଜଣାପଡ଼ିଛି। ଅସ୍ଥାୟୀ ସଦସ୍ୟ ଭାବେ କାର୍ଯ୍ୟ କରିବା ସମୟରେ ଭାରତ ମାନବିକ ଅଧିକାର ତଥା ବିକାଶ ଭଳି ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବ ।

Advertisment

ସୂଚନା ଥାଉକି, ଆଜିଠାରୁ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ଅସ୍ଥାୟୀ ସଦସ୍ୟ ଭାବେ ଯୋଗ ଦେବାକୁ ଯାଉଛି । ୟୁଏନଏସସିରେ ୧୦ ଅସ୍ଥାୟୀ ସଦସ୍ୟ ଥିବା ବେଳେ ୫ ସ୍ଥାୟୀ ସଦସ୍ୟ ରହିଛନ୍ତି । ଅସ୍ଥାୟୀ ସଦସ୍ୟ ଭାବେ ଅଷ୍ଟମ ଥର ପାଇଁ ୟୁଏନଏସସିରେ ଭାରତ ସ୍ଥାନ ପାଇଛି ।

ମିଳିତ ଜାତିସଂଘର ରାଷ୍ଟ୍ରଦୂତ ଟି.ଏସ୍ ତିରୁମୂର୍ତ୍ତି ଭାରତର ସ୍ଥାୟୀ ପ୍ରତିନିଧି ଭାବେ ଯେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତ ସାରା ବିଶ୍ୱରେ ଆତଙ୍କବାଦ ବିରୋଧରେ ଲଢ଼େଇ କରିବ ଏବଂ ଆତଙ୍କବାଦକୁ ଆଶ୍ରୟ ଦେଇଥିବା ଶକ୍ତିର ଷଡଯନ୍ତ୍ରକୁ ପ୍ରକାଶ କରିବ। ଆମେ ଅସ୍ଥାୟୀ ସଦସ୍ୟ ଭାବେ ଯୋଗ ଦେଇଥିବାରୁ ଗଣତନ୍ତ୍ର, ମାନବିକ ଅଧିକାର ଓ ବିକାଶ ଭଳି ମୂଳ ମୂଲ୍ୟବୋଧକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବୁ । ଏହାସହ ସମନ୍ୱିତ କାର୍ଯ୍ୟ ଢାଞ୍ଚାରେ ବିବିଧତାକୁ କିଭଳି ପ୍ରୋତ୍ସାହିତ କରିହେବ ତାହା ଭାରତର ବାର୍ତ୍ତା ହେବ, ଯାହାକି ମିଳିତ ଜାତିସଂଘରେ ଅନେକ କ୍ଷେତ୍ରରେ ପ୍ରତିଫଳିତ ହୋଇଛି ।

ୟୁଏନଏସସିରେ ଅସ୍ଥାୟୀ ସଦସ୍ୟ ଭାବେ ଭାରତ ବ୍ୟତିତ କେନିଆ, ଆୟର୍ଲାଣ୍ଡ, ନରୱେ ଓ ମେକ୍ସିକୋ ଆଜିଠାରୁ ଯୋଗ ଦେଉଛନ୍ତି । ଏହା ପୂର୍ବରୁ ସେଣ୍ଟ, ଭିନ୍ସେଣ୍ଟ, ଗ୍ରେନାଡାଇନ୍ସ, ଇଷ୍ଟୋନିଆ, ଭିଏତନାମ ଓ ଟ୍ୟୁନିସିଆ ଭଳି ରାଷ୍ଟ୍ରମାନେ ୟୁଏନଏସସି ରେ ଅସ୍ଥାୟୀ ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି ।