ଜାତିସଂଘ: ଜାତିସଂଘ ନିରାପତ୍ତା ପରିଷଦ (ୟୁଏନ୍‌ଏସ୍‌ସି)ରେ ସଂସ୍କାର ଆଣିବା ପାଇଁ ଭାରତ ପୁଣି ଥରେ ଜୋର୍‌ଦାର ଦାବି ଉଠାଇଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କାମ୍ବୋଜ କହିଛନ୍ତି, ସୁରକ୍ଷା ପରିଷଦରେ ସଂସ୍କାର ଉପରେ ଆଲୋଚନା ୧୯୯୦ ଦଶକରେ ଆରମ୍ଭ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏ କ୍ଷେତ୍ରରେ କୌଣସି ଅଗ୍ରଗତି ହେଲାନାହିଁ। ଏଥିପାଇଁ ବିଶ୍ବ ଏବଂ ଆମର ଭବିଷ୍ୟତ ପିଢ଼ିକୁ ଆଉ କେତେ ଦିନ ଅପେକ୍ଷା କରିବାକୁ ପଡ଼ିବ? ଏଭଳି ଅନିଶ୍ଚିତତାର ଅବସାନ ଘଟିବା ଉଚିତ ଏବଂ ଆମେ ଆଉ ଅଧିକ ଅପେକ୍ଷା କରିପାରିବୁ ନାହିଁ ବୋଲି ରୁଚିରା କହିଛନ୍ତି। ୨୦୦୦ ମସିହାରେ ପ୍ରଥମ ଥର ପାଇଁ ମିଲେନିୟମ ଶିଖର ସମ୍ମିଳନୀରେ ବିଶ୍ୱନେତାମାନେ ୟୁଏନ୍‌ଏସ୍‌ସିରେ ସଂସ୍କାର ଆଣିବାକୁ ସଂକଳ୍ପ ନେଇଥିଲେ। ଏହାକୁ ପାଖାପାଖି ୨୫ ବର୍ଷ ବିତିଗଲାଣି। ଏବେ ବି ଯଦି କୌଣସି ପରିବର୍ତ୍ତନ ନ ହୁଏ, ତେବେ ୟୁଏନ୍‌ଏସ୍‌ସି ଏଭଳି ଏକ ସଂଗଠନରେ ପରିଣତ ହେବ ଯାହା ତା’ର ସବୁ ମହତ୍ବ ହରାଇବ ବୋଲି ସେ କହିଛନ୍ତି। ଆମେରିକା, ବ୍ରିଟେନ, ଫ୍ରାନ୍ସ, ରୁଷିଆ ଓ ଚୀନ୍‌ ୟୁଏନ୍ଏସ୍‌ସିର ୫ଟି ସ୍ଥାୟୀ ସଦସ୍ୟ ଅଛନ୍ତି। ସେଥିମଧ୍ୟରୁ ୪ଟି ଦେଶ ଭାରତକୁ ସମର୍ଥନ କରିବାକୁ ପ୍ରସ୍ତୁତ ଥିବା ବେଳେ କେବଳ ଚୀନ୍ ବାଧକ ସାଜିଛି। ଚୀନ୍‌ ନିଜର ଭିଟୋ ପ୍ରୟୋଗ କରି ସଂସ୍କାର ପ୍ରକ୍ରିୟାକୁ ଅଚଳ କରିଦେଉଥିବା ବେଳେ ଜାତିସଂଘ କେବଳ ନିରବଦ୍ରଷ୍ଟା ସାଜିଛି।

Advertisment

ଆସନ୍ତା ବର୍ଷ ଜାତିସଂଘର ୮୦ତମ ବାର୍ଷିକୀ ଏବଂ ସେପ୍ଟେମ୍ବରରେ ଏକ ଗୁରୁତ୍ୱପୂର୍ଣ୍ଣ ଶିଖର ସମ୍ମିଳନୀ ଆୟୋଜନ ହେବାକୁ ଯାଉଥିବାରୁ ଏହା ପୂର୍ବରୁ ଜାତିସଂଘ ନିର୍ଣ୍ଣାୟକ ନିଷ୍ପତ୍ତି ନେଉ ବୋଲି ରୁଚିରା କାମ୍ବୋଜ ପରାମର୍ଶ ଦେଇଛନ୍ତି। ଅବସରରେ ଆବଶ୍ୟକ ସଂସ୍କାର ଆଣିବା ବିନା ସବୁକିଛି ଦିଗହରା ହୋଇଯିବ ବୋଲି ସେ ଚେତାଇ ଦେଇଛନ୍ତି। ଆଫ୍ରିକା ସମେତ ଯୁବ ଓ ଭବିଷ୍ୟତ ପିଢ଼ିର ସ୍ୱର ଉପରେ ଧ୍ୟାନ ଦେଇ ସଂସ୍କାର ଆଣିବା ଜରୁରୀ ବୋଲି ଭାରତର ସ୍ଥାୟୀ ପ୍ରତିନିଧି ସ୍ପଷ୍ଟ କରିଛନ୍ତି। ୟୁଏନ୍‌ଏସ୍‌ସିରେ ପରିବର୍ତ୍ତନ ନାମରେ କେବଳ ଅସ୍ଥାୟୀ ସଦସ୍ୟ ବୃଦ୍ଧି କରାଯାଉଥିବାରୁ ସଂଗଠନରେ ଅସମାନତା ବଢିଯାଇଛି। ଭିଟୋ କ୍ଷମତା ଜାତିସଂଘ ସଂସ୍କାରରେ ବାଧକ ସାଜିବା ଉଚିତ ନୁହେଁ ବୋଲି ରୁଚିରା ଗୁରୁତ୍ୱାରୋପ କରିଛନ୍ତି। ଭାରତର ଏହି ପରାମର୍ଶକୁ ସ୍ଥାୟୀ ସଦସ୍ୟ ବ୍ରିଟେନ ସମର୍ଥନ କରିଛି । ଏହାବ୍ୟତୀତ ବ୍ରାଜିଲ, ଜାପାନ ଏବଂ ଜର୍ମାନୀ ଭଳି ସହଯୋଗୀ ରାଷ୍ଟ୍ର ମଧ୍ୟ ଭାରତର ବୟାନକୁ ସମର୍ଥନ କରିଛନ୍ତି। ୧୯୩ଟି ସଦସ୍ୟ ରାଷ୍ଟ୍ରର ମତକୁ ଗୁରୁତ୍ବ ଦେଇ ସଂସ୍କାରକୁ ଅଗ୍ରାଧିକାର ଦେବାକୁ ସେମାନେ ଦାବି କରିଛନ୍ତି। ଗୋଟିଏ ଦୁଇଟି ରାଷ୍ଟ୍ର କୌଣସି ଯୁଗାନ୍ତକାରୀ ପ୍ରକ୍ରିୟାକୁ ଭଣ୍ଡୁର କରିବାକୁ ଚାହିଲେ ତାହା କିଭଳି ଗ୍ରହଣୀୟ ହେବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଭାରତ କହିଛି ଯେ ୧୯୩ଟି ଦେଶରେ କେବଳ ୫ଟି ସ୍ଥାୟୀ ସଦସ୍ୟଙ୍କ ଇଚ୍ଛାକୁ ନେଇ ହିଁ ସବୁକିଛି ଚାଲିପାରିବ ନାହିଁ। କେବଳ ୫ଟି ସ୍ଥାୟୀ ସଦସ୍ୟ ରାଷ୍ଟ୍ରର ଆଧିପତ୍ୟ ବଜାୟ ରଖିବା ପାଇଁ ହିଁ ଜାତିସଂଘ ତିଷ୍ଠି ରହିବା କିଭଳି ବ୍ୟବସ୍ଥା ବୋଲି ଭାରତ ପ୍ରଶ୍ନ କରିଛି। ସେପ୍ଟେମ୍ବର ୨୦୨୩ରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଥିଲେ, ଯଦି ଜାତିସଂଘ ସୁରକ୍ଷା ପରିଷଦ ବ୍ୟବସ୍ଥାରେ ପରିବର୍ତ୍ତନ ନ ହୁଏ, ତେବେ ରାଷ୍ଟ୍ରମାନେ ବାହାରେ ସମାଧାନ ଖୋଜିବା ଆରମ୍ଭ କରିଦେବେ । ୟୁଏନ୍‌ଏସ୍‌ସି ପୁରୁଣା କ୍ଲବ ଭଳି ହୋଇଗଲାଣି। କ୍ଲବ୍ ସଦସ୍ୟମାନେ ଚାହାନ୍ତି ନାହିଁ ଯେ କେହି ସେମାନଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ କରନ୍ତୁ। କୌଣସି ସଂସ୍କାର ବିନା ଜାତିସଂଘର ପ୍ରଭାବ କମିବାରେ ଲାଗିଛି ଏବଂ ଏଭଳି ସ୍ଥିତି ଏହାର ସବୁ ଭଲ ଉଦ୍ଦେଶ୍ୟକୁ ଭଣ୍ଡୁର କରିଦେଉଛି ବୋଲି ଜୟଶଙ୍କର କହିଥିଲେ। ପୃଥିବୀର ୧୭% ଲୋକ ଭାରତରେ ବସବାସ କରନ୍ତି । ୧୪୨ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତ ବିଶ୍ୱର ସବୁଠାରୁ ଜନବହୁଳ ଦେଶ। ୟୁଏନ୍‌ଏସ୍‌ସିରେ ଏତେ ସଂଖ୍ୟକ ଜନସଂଖ୍ୟାର ପ୍ରତିନିଧିତ୍ୱ ରହିବା ଜରୁରୀ ଥିବାବେଳେ ଏହାକୁ ଜାତିସଂଘ ଅଣଦେଖା କରିପାରିବ ନାହିଁ ବୋଲି ଭାରତ ସ୍ପଷ୍ଟ କରିଦେଇଛି।