ମହାକାଶକୁ ଗଲା ଭାରତର ମିଲିଟାରୀ ଉପଗ୍ରହ ଜିସ୍ୟାଟ୍‌-୭ଏ, ବିମାନ ଓ ଡ୍ରୋନ ଆକ୍ରମଣ ପାଇଁ ବ୍ୟବହାର କରାଯିବ

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଆଜି ଅପରାହ୍ନ ୪ଟା ୧୦ ମିନିଟରେ ଭାରତର ଅତ୍ୟାଧୁନିକ ସାମରିକ ଉପଗ୍ରହ ଜିସ୍ୟାଟ୍‌-୭ଏକୁ ମହାକାଶକୁ ଉତକ୍ଷେପଣ କରାଯାଇଛି । ଏହାକୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ଥିବା ସତୀଶ ଧଓ୍ଵନ ମହାକାଶ କେନ୍ଦ୍ରରୁ ଜିଏସଏଲଭି-ଏଫ୧୧ ରକେଟ ମାଧ୍ୟମରେ ଏହାକୁ ଉତକ୍ଷେପଣ କରାଯାଇଛି । ଉତକ୍ଷେପଣ ପରେ ଏହାର ସବୁ ମାନଦଣ୍ଡ ସ୍ୱାଭାବିକ ଥିବା ଇସ୍ରୋ କହିଛି ।

 

ଏହି ଉପଗ୍ରହଟି ଇସ୍ରୋର ୩୫ତମ ଯୋଗାଯୋଗ ଉପଗ୍ରହ ହୋଇଥିବାବେଳେ ଏହାକୁ ସ୍ୱତନ୍ତ୍ରଭାବେ ଭାରତୀୟ ବାୟୁସେନା ପାଇଁ ନିର୍ମାଣ କରାଯାଇଛି । ଏହାର ବିଶେଷତ୍ୱ ହେଉଛି ଏହା ବାୟୁସେନାର ବିଭିନ୍ନ ବିମାନଘାଟି, ରାଡାର ଷ୍ଟେସନ ଓ ଏୟାରବର୍ନ ଆର୍ଲି ଓ୍ଵାର୍ଣ୍ଣି ସିଷ୍ଟମ ସହିତ ଯୋଗାଯୋଗ ରକ୍ଷା କରିବ । ସରଳଭାଷାରେ କହିଲେ ଏହା ଦ୍ୱାରା ବାୟୁସେନାର ଯୋଗାଯୋଗ କ୍ଷମତାକୁ ବୃଦ୍ଧି କରିବ ଓ ଯୁଦ୍ଧ ସମୟରେ ଏହା ବେଶ ଉପଯୋଗୀ ହୋଇପାରିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ଭାରତର ଲଢୁଆ ଡ୍ରୋନ ପରିଚାଳନାରେ ବେଶ ଉପଯୋଗୀ ହୋଇପାରିବ । ଭାରତ ଆମେରିକା ଓ ଇସ୍ରାଏଲଠାରୁ ଲଢୁଆ ଡ୍ରୋନ କିଣୁଥିବାରୁ ସେଗୁଡିକର ପରିଚାଳନା ପାଇଁ ଅତ୍ୟାଧୁନିକ ଉପଗ୍ରହ ବ୍ୟବସ୍ଥାର ଆବଶ୍ୟକତା ରହିଛି । ଏହି ଆବଶ୍ୟକତାକୁ ଜିସ୍ୟାଟ-୭ଏ ପୂରଣ କରିବ ।

ସମ୍ବନ୍ଧିତ ଖବର