ନୂଆଦିଲ୍ଲୀ : ୟୁକ୍ରେନ୍ରୁ ଭାରତ ଏବଂ ଭାରତରୁ ୟୁକ୍ରେନ୍କୁ ବିମାନ ଉଡ଼ାଣ ନେଇ ସରକାର ପୂର୍ବରୁ ଯେଉଁ କଟକଣା ଲଗାଇଥିଲେ ତାହା ହଟାଇ ଦେଇଛନ୍ତି। ରୁଷ୍-ୟୁକ୍ରେନ୍ ସଙ୍କଟ ଜାରି ରହିଥିବା ବେଳେ ଭାରତ ସରକାର ଗୁରୁବାର ଦିନ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଣିକି ବିମାନ ଉଡ଼ାଣରେ କୌଣସି କଟକଣା ରହିବନି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅନୁଯାୟୀ ବିନା କୌଣସି ପ୍ରତିବନ୍ଧକରେ ୟୁକ୍ରେନ୍ରୁ ଭାରତକୁ ବିମାନ ଚଳାଚଳ କରିପାରିବ। ଉଲ୍ଲେଖଯୋଗ୍ୟ, ୟୁକ୍ରେନ୍ରୁ ଭାରତକୁ ବିମାନ ନମିଳିବାରୁ ୟୁକ୍ରେନରେ ଥିବା ଭାରତୀୟଙ୍କ ମଧ୍ୟରେ ଭୟ ବଢ଼ିଥିଲା। ୟୁକ୍ରେନ୍ ସ୍ଥିତ ଭାରତୀୟ ଦୂତାବାସକୁ ଏନେଇ ଅନୁରୋଧ କରାଯାଇଥିଲା। ତେବେ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ନିକଟ ଭବିଷ୍ୟତରେ ଅଧିକ ବିମାନ ଉଡ଼ାଣ ପାଇଁ ଯୋଜନା କରାଯାଇଛି। ୟୁକ୍ରେନ୍ରେ ଥିବା ଭାରତୀୟ ଛାତ୍ରଛାତ୍ରୀ ଆଦୌ ଭୟ ନକରିବାପାଇଁ ଦୂତାବାସ ପକ୍ଷରୁ କୁହାଯାଇଛି। ଏବେ ୟୁକ୍ରେନିଆନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ, ଏୟାର ଆରବିୟା, ଫ୍ଲାଏ ଦୁବାଇ ଏବଂ କତାର୍ ଏୟାରୱେଜ୍ ୟୁକ୍ରେନ୍ରୁ ବିମାନ ଉଡ଼ାଣ ପରିଚାଳନା କରୁଛନ୍ତି।
ଭାରତୀୟଙ୍କୁ ତୁରନ୍ତ ଖାଲି କରିବା ଯୋଜନା ହୋଇନି: ସରକାର
ନୂଆଦିଲ୍ଲୀ : ୟୁକ୍ରେନରେ ଥିବା ଭାରତୀୟଙ୍କୁ ଏଯାବତ୍ ତୁରନ୍ତ ଖାଲି କରିବା ନେଇ କୌଣସି ଯୋଜନା ହୋଇନି। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗ୍ଚି ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ୟୁକ୍ରେନରୁ ଭାରତୀୟଙ୍କୁ ତତ୍କାଳ ଖାଲି କରିବାପାଇଁ କୌଣସି ଯୋଜନା ନାହିଁ, ତେଣୁ ଏଥିପାଇଁ କୌଣସି ସ୍ବତନ୍ତ୍ର ବିମାନ ବ୍ୟବସ୍ଥା ମଧ୍ୟ ହୋଇନାହିଁ। ଅନ୍ୟପକ୍ଷେ ୟୁକ୍ରେନ୍ରୁ ଭାରତକୁ ଏବଂ ଭାରତରୁ ୟୁକ୍ରେନ୍କୁ ବିମାନ ଉଡ଼ାଣ ନେଇ ସରକାର ପୂର୍ବରୁ ଯେଉଁ କଟକଣା ଲଗାଇଥିଲେ ତାହା ହଟାଇ ଦେଇଛନ୍ତି। ରୁଷ୍ -ୟୁକ୍ରେନ୍ ସୀମାରେ ବିଶାଳ ସେନା ମୁତୟନ ଏବଂ ଅସ୍ତ୍ର ଠୁଳ କରିବା ବାବଦରେ ଟିପ୍ପଣୀ ରଖି ବିଦେଶ ମନ୍ତ୍ରାଳୟ କହିଛନ୍ତି, ତୁରନ୍ତ ଉତ୍ତେଜନା ହ୍ରାସକୁ ଆମେ ସମର୍ଥନ କରୁଛୁ। କୂଟନୈତିକ ପ୍ରୟାସରେ ମାମଲାର ସମାଧାନ ହୋଇପାରିବ ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ୟୁକ୍ରେନରେ ଥିବା ଭାରତୀୟ ନାଗରିକଙ୍କୁ ସହଯୋଗ କରିବାପାଇଁ ବୁଧବାର ବିଦେଶ ମନ୍ତ୍ରାଳୟ ଏକ କଣ୍ଟ୍ରୋଲ ରୁମ୍ ପ୍ରତିଷ୍ଠା କରିଛନ୍ତି।