ଏବର୍ଷ ସ୍ବାଭାବିକ ମୌସୁମୀ

ନୂଆଦିଲ୍ଲୀ : ଚଳିତବର୍ଷ ଦେଶରେ ମୌସୁମୀ ବର୍ଷା ସ୍ବାଭାବିକ ରହିବ। ଦେଶର ଏକମାତ୍ର ଘରୋଇ ପାଣିପାଗ ପୂର୍ବାନୁମାନ ସଂସ୍ଥା ସ୍କାଏମେଟ୍ ପକ୍ଷରୁ ଆଜି ଏଭଳି ଅ‌ାକଳନ କରାଯାଇଛି। ଚଳିତବର୍ଷ ମୌସୁମୀ ବର୍ଷା ସ୍ବାଭାବିକ ରହିବାର ୫୦ ପ୍ରତିଶତ ସମ୍ଭାବନା ରହିଛି। ତେବେ ସ୍ବାଭାବିକଠାରୁ ଅଧିକ ବର୍ଷାର ସମ୍ଭାବନା ମଧ୍ୟ ଅଳ୍ପ କିଛି ମାତ୍ରାରେ ରହିଛି ବୋଲି ଏହି ସଂସ୍ଥା ପକ୍ଷରୁ କୁହାଯାଇଛି। ସ୍କାଏମେଟ୍‌ର ଏହି ପୂର୍ବାନୁମାନ ଭାରତୀୟ କୃଷକଙ୍କ ସମେତ ଅର୍ଥନୀତି ପାଇଁ ଖୁସି ଖବର ଆଣିଛି। ମୌସୁମୀ ବର୍ଷା ସ୍ବାଭାବିକ ରହିଲେ ଚଳିତ ବର୍ଷ ଭଲ ଫସଲ ଅମଳ ହେବା ସହିତ ଅର୍ଥନୈତିକ ଅଭିବୃଦ୍ଧି ବି ଅଧିକ ରହିବ। ଦେଶରେ ଜୁନରୁ ମୌସୁମି ଋତୁ ଆରମ୍ଭ ହୋଇଥାଏ। ସେପ୍ଟେମ୍ବର ପର୍ଯ୍ୟନ୍ତ ୪ ମାସ ପାଇଁ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା ହୋଇଥାଏ। ଗତ ୫୦ ବର୍ଷ ମଧ୍ୟରେ ଦେଶରେ ମୌସୁମୀ ଋତୁରେ ହୋଇଥିବା ହାରାହାରି ବର୍ଷାକୁ ହିସାବକୁ ନେଇ ନିଅଣ୍ଟିଆ, ସ୍ବାଭାବିକ ଏବଂ ଅଧିକ ବର୍ଷା ଆକଳନ କରାଯାଇଥାଏ। ଦେଶରେ ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ମଧ୍ୟରେ ବର୍ଷା ହେଲେ ମୌସୁମୀ ବର୍ଷା ସ୍ବାଭାବିକ ‌ବୋଲି କୁହାଯାଇଥାଏ। ପ୍ରତିବର୍ଷ ଦେଶରେ ହେଉଥିବା ମୋଟ ବର୍ଷାର ପ୍ରାୟ ୭୦ ପ୍ରତିଶତ ମୌସୁମୀ ଯୋଗୁ ହୋଇଥାଏ। ସ୍କାଏମେଟ୍ ‌ବ୍ୟତୀତ ସରକାରଙ୍କ ପକ୍ଷରୁ ଭାରତୀୟ ପାଣିପାଗ ବିଭାଗ ମଧ୍ୟ ମୌସୁମୀ ବର୍ଷା ନେଇ ପୂର୍ବାନୁମାନ ପ୍ରକାଶ କରିଥାଏ।

ସମ୍ବନ୍ଧିତ ଖବର