ନୂଆଦିଲ୍ଲୀ : ଆସନ୍ତା ସପ୍ତାହରେ ଭାରତ ପକ୍ଷରୁ ଅଗ୍ନି ସିରିଜ୍ କ୍ଷେପଣାସ୍ତ୍ରର ଏକ ବ୍ୟବହାରିକ ପରୀକ୍ଷଣ କରିବାକୁ ଯୋଜନା ଥିବାବେଳେ ଚୀନର ଏକ ଗୁପ୍ତଚର ଜାହାଜ ଭାରତ ମହାସାଗରରେ ପ୍ରବେଶ କରିଛି । ଏହି ଜାହାଜ ଶ୍ରୀଲଙ୍କା ଉପକୂଳକୁ ଆସିବାର ସମ୍ଭାବନା ଥିବାରୁ ଭାରତ ପକ୍ଷରୁ କ୍ଷେପଣାସ୍ତ୍ର ପରୀକ୍ଷଣକୁ ସ୍ଥଗିତ ରଖାଯାଇପାରେ ବୋଲି ସୂଚନା ମିଳିଛି ।

Advertisment

ଉଆନ ଓ୍ବାଙ୍ଗ-୬ ନାମକ ଚୀନର ଏହି ଜାହାଜ ଶୁକ୍ରବାରଦିନ ଇଣ୍ଡୋନେସିଆର ବାଲି ନିକଟରେ ଭାରତ ମହାସାଗର ନିକଟରେ ରହିଥିଲା । ଧୀରେ ଧୀରେ ଏହା ଶ୍ରୀଲଙ୍କା ଅଭିମୁଖେ ଆସୁଛି । ଚୀନ ଏହାକୁ ଗବେଷଣା ଜାହାଜ କହୁଥିବାବେଳେ ଏହା ଏକ ଗୁପ୍ତଚର ଜାହାଜ ବୋଲି ଭାରତ ମନେକରୁଛି । ଏଥିରେ ଲାଗିଥିବା ଅତ୍ୟାଧୁନିକ ଟ୍ରାକିଂ ଓ ସାଟେଲାଇଟ ଉପକରଣ ଭାରତୀୟ କ୍ଷେପଣାସ୍ତ୍ରର ବେଗ, ସଠିକତା ଓ ରେଞ୍ଜ୍ ଠଉରେଇ ପାରିବ । ଏହି ତଥ୍ୟକୁ ଭିତ୍ତିକରି ଚୀନ ନିଜର ମିସାଇଲ ପ୍ରତିରକ୍ଷା ପ୍ରଣାଳୀକୁ ବିକଶିତ କରିବାର ଆଶଙ୍କା ରହିଛି । ଏଣୁ ଏହି ଜାହାଜକୁ ସଂଦେହ ଦୃଷ୍ଟିରେ ଦେଖୁଛି ଭାରତ । ଏହି ଜାହାଜ ଭାରତ ମହାସାଗରରେ ଥିବା ପର୍ଯ୍ୟନ୍ତ ଭାରତର ଷ୍ଟ୍ରାଟର୍ଜିକ ଫୋର୍ସେସ୍ କମାଣ୍ଡ ( କ୍ଷେପଣାସ୍ତ୍ର ଓ ପରମାଣୁ ଆକ୍ରମଣ ଦାୟିତ୍ବରେ ଥିବା ଶୀର୍ଷ ସଂସ୍ଥା) ପକ୍ଷରୁ ଆସନ୍ତା ସପ୍ତାହରେ ହେବାକୁ ଥିବା ଅଗ୍ନି ସିରିଜ୍ କ୍ଷେପଣାସ୍ତ୍ରର ପରୀକ୍ଷଣକୁ କିଛି ଦିନ ପାଇଁ ଅଟକାଇବାକୁ ବିଚାର କରାଯାଉଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ।