Advertisment

ନୂଆଦିଲ୍ଲୀ : ଗତକାଲି ପାକିସ୍ତାନର ପଂଜାବ ପ୍ରଦେଶରେ ଥିବା ଏକ ହିନ୍ଦୁ ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି ଭାରତ ସରକାର । ପାକିସ୍ତାନ ସରକାର ସଂଖ୍ୟାଲଘୁଙ୍କ ସୁରକ୍ଷା କରିବାରେ ବିଫଳ ହୋଇଥିବା ଭାରତ ସରକାର ଅଭିଯୋଗ କରିଛନ୍ତି । ଭାରତ ସରକାର ଆଜି ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନୀ ଦୂତାବାସର ମୁଖ୍ୟଙ୍କୁ ଡକାଇ ଏହି ଘଟଣା ବିରୋଧରେ ପ୍ରତିବାଦ ଜଣାଇଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଆଜି କହିଛନ୍ତି ଯେ ପାକିସ୍ତାନରେ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ଧର୍ମୀୟ ସ୍ବାଧୀନତା ଓ ସେମାନଙ୍କ ଉପାସନାପୀଠଗୁଡ଼ିକ ଉପରେ ଆକ୍ରମଣ ହେଉଥିବାରୁ ଭାରତ ସରକାର ଚିନ୍ତା ପ୍ରକଟ କରିଛନ୍ତି । ପାକ୍ ସରକାର ସଂଖ୍ୟାଲଘୁଙ୍କ ସୁରକ୍ଷା ଓ ବିକାଶ ଲାଗି ପଦକ୍ଷେପ ନେବାକୁ ଭାରତ ସରକାର ଦାବି କରିଛନ୍ତି ।

ଗତକାଲି ପାକିସ୍ତାନର ପଂଜାବ ପ୍ରଦେଶ ଅନ୍ତର୍ଗତ ରହିମ ୟାର ଖାଁ ଜିଲ୍ଲାର ଭୋଙ୍ଗ ସହରରେ ଥିବା ସିଦ୍ଧିବିନାୟକ ମନ୍ଦିରକୁ କେତେକ ଲୋକ ଭଙ୍ଗାରୁଜା କରିବା ସହ ଜାଳି ଦେଇଥିଲେ । ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଲୋକମାନେ ଉତ୍ତେଜିତ ହୋଇ ଏହି କାଣ୍ଡ ଘଟାଇଥିବା କୁହାଯାଉଛି । ଏପରିକି ଘଟଣାସ୍ଥଳରେ ପୁଲିସ ଥିଲେ ବି ଏଥିରେ ହସ୍ତକ୍ଷେପ କରିନଥିଲା ।