ଭାରତର ସ୍ଥିତି ବି ଶ୍ରୀଲଙ୍କା ପରି ମନେ ହେଉଛି : କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ୍

ନୂଆଦିଲ୍ଲୀ : ଦେଶର ଆର୍ଥିକ ସ୍ଥିତିକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ଭାରତର ସ୍ଥିତି ବି ଶ୍ରୀଲଙ୍କା ପରି ମନେ ହେଉଛି । ଲୋକମାନଙ୍କ ଧ୍ୟାନ ଅନ୍ୟଆଡ଼କୁ ଆକର୍ଷଣ କଲେ ବି ସତ ବଦଳିଯିବ ନାହିଁ ବୋଲି ସେ ଟୁଇଟ କରି ଲେଖିଛନ୍ତି ।

ଶ୍ରୀଲଙ୍କା ସ୍ଥିତି ସହ ତୁଳନା କରି ସେ ବେକାରି ହାର, ତେଲଦରବୃଦ୍ଧି ଓ ସାଂପ୍ରଦାୟିକ ସଂଘର୍ଷ ଦର୍ଶାଉଥିବା କେତେକ ଇନଫୋଗ୍ରାଫିକ୍ସ ଜାରି କରିଛନ୍ତି । ପ୍ରଥମ ଗ୍ରାଫରେ ଉଭୟ ଦେଶର ବେକାରୀ ସ୍ଥିତିକୁ ଦର୍ଶାଯାଇଛି । ଏଥିରୁ ଜଣାପଡ଼ୁଛି ଯେ ଉଭୟ ଦେଶରେ ୨୦୨୦ରେ ବେକାରି ହାର ବୃଦ୍ଧି ପାଇବା ପରେ ଧୀରେ ଧୀରେ କମୁଛି । ଦ୍ବିତୀୟ ଗ୍ରାଫରେ ଉଭୟ ଦେଶରେ କିପରି ପେଟ୍ରୋଲ ଦର ବୃଦ୍ଧି ପାଉଛି, ତାହା ଦର୍ଶାଯାଇଛି । ୩ୟ ଗ୍ରାଫରେ ଦର୍ଶାଯାଇଛି ଯେ ୨୦୨୦-୨୧ପରଠାରୁ ଦୁଇ ଦେଶରେ ସାଂପ୍ରଦାୟିକ ହିଂସା ବଢିଚାଲିଛି ।

 

କେବଳ ରାହୁଲ ନୁହେଁ, ଆଉ କେତେକ କଂଗ୍ରେସ ନେତା ଶ୍ରୀଲଙ୍କା ସ୍ଥିତି ନେଇ ଭାରତ ସରକାରଙ୍କୁ ସତର୍କ କରାଇଦେଇଛନ୍ତି । ଶ୍ରୀଲଙ୍କା ସ୍ଥିତି ଭାରତ ପାଇଁ ଏକ ଶିକ୍ଷା ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି । ଏକ ଟୁଇଟ୍ କରି ସେ ଲେଖିଛନ୍ତି ଯେ, ଶ୍ରୀଲଙ୍କା ସଂକଟର ମୂଳ କାରଣ ହେଉଛି ଭାଷା, ଧର୍ମ ଓ ସଂସ୍କୃତି ଉପରେ ସଂଖ୍ୟାଗରିଷ୍ଠ ମାନଙ୍କ ପ୍ରଭାବ ।

ସୂଚନାଯୋଗ୍ୟ ଯେ, ୧୯୪୮ରେ ସ୍ବାଧୀନତା ପରଠାରୁ ଶ୍ରୀଲଙ୍କା ଏବେ ସବୁଠାରୁ ଖରାପ ଆର୍ଥିକ ସଂକଟର ସମ୍ମୁଖୀନ ହେଉଛି ।

ସମ୍ବନ୍ଧିତ ଖବର