ସ୍ବାଧୀନତା ଦିବସ : ଲାଲକିଲ୍ଲାରେ ୨୧-ତୋପ ସଲାମୀ ଦେବ ସ୍ବଦେଶୀ ତୋପ

ନୂଆଦିଲ୍ଲୀ : ଏଥର ଦେଶ ୭୫ତମ ସ୍ବାଧୀନତା ଦିବସ ପାଳନ କରୁଥିବାବେଳେ ଦିଲ୍ଲୀର ଲାଲକିଲ୍ଲାରେ ମୁଖ୍ୟ ସମାରୋହ ପାଳନ କରାଯିବ । ତେବେ ଏକ ନିର୍ଦ୍ଦିଷ୍ଟ ଦୃଷ୍ଟିକୋଣରୁ ଏହି ସମାରୋହ ଟିକିଏ ନିଆରା ହେବ । କାରଣ ଏଥର ଲାଲକିଲ୍ଲା ପ୍ରାଚୀରରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ତୋପ ମାଧ୍ୟମରେ ୨୧-ତୋପ ସଲାମୀ ଦିଆଯିବ । ପୂର୍ବରୁ ଏଥିପାଇଁ ବ୍ରିଟିଶ ନିର୍ମିତ ୨୫ ପାଉଣ୍ଡର ଗନ ବ୍ୟବହାର କରାଯାଉଥିଲା ।

ଡିଆରଡିଏ ପକ୍ଷରୁ ନିର୍ମିତ ଏଟିଏଜିଏସ (ଆଡଭାନ୍ସଡ୍ ଟାଓ୍ବଡ ଆର୍ଟିଲାରୀ ଗନ ସିଷ୍ଟମ) ମାଧ୍ୟମରେ ଏହି ତୋପ ସଲାମୀ ଦିଆଯିବ । ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଗନ ସିଷ୍ଟମର ରେଞ୍ଜ ହେଉଛି ୪୫ କିଲୋମିଟର । ଅର୍ଥାତ ଏହା ମାଧ୍ୟମରେ ୪୫ କିଲୋମିଟର ଦୂରକୁ ଗୋଳା ଫିଙ୍ଗାଯାଇପାରିବ । ପୁଣି ସ୍ବୟକ୍ରିୟ ଭାବେ ଏଥିରେ ଗୋଳା ଲୋଡ ହୋଇପାରିବ ।

ଦେଶକୁ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ଆରମ୍ଭ କରାଯାଇଥିବା ସରକାରଙ୍କ ମେକ୍-ଇନ-ଓଡ଼ିଶା କାର୍ଯ୍ୟକ୍ରମ ଅଧିନରେ ଏହାକୁ ନିର୍ମାଣ କରାଯାଉଛି । ତେବେ ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ୨୦୧୩ରେ ଡିଆରଡିଓ ଏହି ପ୍ରକଳ୍ପ ହାତକୁ ନେଇଥିଲା । ଭାରତକୁ ୧୫୫ ଏମଏମ ଆର୍ଟିଲାରି ଗନ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବାକୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ଏହି ଗନ ବା ତୋପର ଉତ୍ପାଦନ ପାଇଁ ଡିଆରଡିଓ ଦୁଇଟି ଘରୋଇ କମ୍ପାନି ଟାଟା ଆଡଭାନ୍ସଡ ସିଷ୍ଟମସ ଓ ଭାରତ ଫର୍ଜ ସହ ହାତ ମିଳାଇଛି ।

 

ସମ୍ବନ୍ଧିତ ଖବର