ନୂଆଦିଲ୍ଲୀ: କରୋନା ଭୂତାଣୁର ଡେଲଟା ଓ ଓମିକ୍ରନ୍ ଭେରିଏଣ୍ଟକୁ ପ୍ରତିରୋଧ କରିବା ଲକ୍ଷ୍ୟରେ ଭାରତରେ ଏକ ନୂତନ ଟିକା ବିକଶିତ କରାଯାଉଛି। ଏହି ଟିକାର ସ୍ବାତନ୍ତ୍ର ହେଲା ଏହା ଅଧିକ ତାପମାତ୍ରାରେ ରହିଲେ ମଧ୍ୟ ଖରାପ ହେବନାହିଁ। ଏହାକୁ ସଂଗୃହୀତ କରି ରଖିବା ଲାଗି ରେଫ୍ରିଜେରେଟର୍ କିମ୍ବା ଶୀତଳଭଣ୍ଡାରର ଆବଶ୍ୟକତା ପଡ଼ିବ ନାହିଁ।
ପୂର୍ବରୁ ଭାରତରେ ପ୍ରସ୍ତୁତ କୋଭାକ୍ସିନ୍ ଓ କୋଭିସିଲ୍ଡ ଦ୍ବାରା ଦେଶ ସମେତ ଅନ୍ୟ ଦେଶର କୋଟି କୋଟି ଲୋକ ଉପକୃତ ହୋଇଥିଲେ । ହେଲେ ସେହି ଟିକା ସବୁକୁ ସଂଗୃହୀତ କରିବାକୁ ରେଫ୍ରିଜେଟର ବା ଶୀତଳ ଭଣ୍ଡାରର ଆବଶ୍ୟକତା ପଡୁଥିଲା । ଏହାର ଅଭାବରେ ଅନେକ ସମୟରେ ଟିକାକରଣ କେନ୍ଦ୍ରର ସ୍ବାସ୍ଥ୍ୟ କର୍ମୀ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା । ହୁଏତ ଆଗକୁ ଏଭଳି ସମସ୍ୟା ଆସି ନପାରେ , କାରଣ ଭାରତରେ ଯେଉଁ ନୂଆ ଟିକା ପ୍ରସ୍ତୁତ ହୋଇଛି, ତାହା ସାଇତି ରଖିବା ଲାଗି ରେଫ୍ରିଜେଟର ଆବଶ୍ୟକ ହେବନାହିଁ । ସାଧାରଣ ତାପମାତ୍ରାରେ ଏହାକୁ ରଖାଯାଇ ପାରିବ । ଏହି ଟିକା ତାପମାତ୍ରା ଦ୍ବାରା ପ୍ରଭାବିତ ହେବ ନାହିଁ। ବେଙ୍ଗାଲୁରୁର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଓ ବାୟୋଟେକ୍ ଷ୍ଟାର୍ଟ-ଅପ୍ କମ୍ପାନି ‘ମାୟନଭେକ୍ସ’ ସମ୍ମିଳିତ ଭାବେ ଏହି ଟିକା ପ୍ରସ୍ତୁତ କରୁଛନ୍ତି।
ଅଷ୍ଟ୍ରେଲିଆର କମନୱେଲ୍ଥ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟିଆଲ ରିସର୍ଚ୍ଚ ଅର୍ଗାନାଇଜେସନର ଗବେଷକଙ୍କ କହିବା ଅନୁସାରେ ଅଧିକାଂଶ ଟିକାକୁ ପ୍ରଭାବଶାଳୀ ଭାବେ କାର୍ଯ୍ୟ କରିବା ଲାଗି ଥଣ୍ଡାରେ ରଖାଯାଇଥାଏ। ତେବେ ପରୀକ୍ଷାମୂଳକ ଭାବେ ଏହି ନୂତନ କୋଭିଡ୍ ଟିକାକୁ ଚାରି ସପ୍ତାହ ପର୍ଯ୍ୟନ୍ତ ୩୭ଡିଗ୍ରି ସେଲସିୟସ୍ ଏବଂ ୯୦ମିନିଟ୍ ପାଇଁ ଶହେ ଡିଗ୍ରି ସେଲସିୟସରେ ରଖାଯାଇ ସାରିଛି । ଏଭଳି ତାପମାତ୍ରାରେ ରହି ବି ଏହା ନଷ୍ଟ ହୋଇନାହିଁ। ଡେଲଟା ଓ ଓମିକ୍ରନ୍ ବିରୁଦ୍ଧରେ ଆଣ୍ଟିବଡି ତିଆରି କରିବାରେ ଏହା ସକ୍ଷମ ହେବ ବୋଲି ଆଶା କରାଯାଉଛି ।