ଆଫଗାନ ନାଗରିକଙ୍କ ପାଇଁ ଭାରତ ଇ-ଭିସା ବାଧ୍ୟତାମୂଳକ କଲା: ସବୁ ପୁରୁଣା ଭିସା ଏବେ ଅଚଳ

ନୂଆଦିଲ୍ଲୀ: ଆଫଗାନିସ୍ତାନର ସାମ୍ପ୍ରତିକ ସୁରକ୍ଷା ପରିସ୍ଥିତି ଦୃଷ୍ଟିରୁ ଭାରତ ସରକାର ବୁଧବାର ଭାରତ ଆସୁଥିବା ସମସ୍ତ ଆଫଗାନ ନାଗରିକଙ୍କ ପାଇଁ ଇ-ଭିସାକୁ ବାଧ୍ୟତାମୂଳକ କରିଛନ୍ତି। ସରକାର କହିଛନ୍ତି ଯେ, ଇ-ଇମର୍ଜେନ୍ସି ଏକ୍ସ-ମିସ୍ ଭିସା ଆବେଦନ ପଦ୍ଧତିକୁ ସାବଲୀଳ କରିଦେଇଛି। ତେଣୁ ଭାରତ ଆସୁଥିବା ଆଫଗାନ ନାଗରିକମାନଙ୍କ ପାଇଁ ଏହି ଇ-ଭିସାକୁ ବାଧ୍ୟତାମୂଳକ କରାଯାଇଛି।

ଆଫଗାନ ଶରଣାର୍ଥୀମାନେ ଦିଲ୍ଲୀସ୍ଥିତ ୟୁଏନ୍‌ଏଚ୍‌ସିଆର୍ (ଜାତିସଂଘ ଶରଣାର୍ଥୀ ଉଚ୍ଚାୟୁକ୍ତ)ଙ୍କ ଆଗରେ ସୁରକ୍ଷା ଓ ପୁନଃଥଇଥାନ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ସରକାର କହିଛନ୍ତି ଆଫଗାନ ନାଗରିକମାନଙ୍କୁ ପୂର୍ବରୁ ଯେଉଁ ଭିସା ଦିଆଯାଇଥିଲା, ସେଗୁଡ଼ିକ ଆଉ ଚଳିବ ନାହିଁ। ସରକାରଙ୍କ ଏହି ନୂଆ ଘୋଷଣା ସହିତ ତାହା ଅଚଳ ହୋଇଯାଇଛି। ଅନେକ ଆଫଗାନ ନାଗରିକଙ୍କର ପାସପୋର୍ଟ ହଜିଯାଇଥିବା ରିପୋର୍ଟ ମିଳିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଯେଉଁ ଆଫଗାନ ନାଗରିକମାନେ ଭାରତ ଆସିବାକୁ ଚାହୁଁଛନ୍ତି ସେମାନେ ଭାରତ ସରକାରଙ୍କ ଭିସା ଆବେଦନ ପୋର୍ଟାଲକୁ ଯାଇ ଆବେଦନ କରିବା ଦରକାର ବୋଲି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ନିର୍ଦ୍ଦିଷ୍ଟ ଅବଧି ପାଇଁ ଏହି ଭିସା ଦିଆଯାଉଛି। ଯେଉଁମାନେ ୧୮୦ ଦିନରୁ ଅଧିକ ରହିବାକୁ ଚାହିଁବେ ସେମାନେ ଏଠାରେ ପହଞ୍ଚିବାର ୧୪ ଦିନ ଭିତରେ ଏଫ୍‌ଆର୍‌ଆର୍‌ଓ/ଏଫ୍‌ଆର୍‌ଓଙ୍କ ନିକଟରେ ପଞ୍ଜୀକରଣ କରିବା ଦରକାର। ଏହି ଭିସାର ମିଆଦ ବଢ଼ିପାରିବ ନାହିଁ କିମ୍ବା ଏହା ଅନ୍ୟ ପ୍ରକାର ଭିସାକୁ ମଧ୍ୟ ପରିବର୍ତ୍ତିତ ହୋଇପାରିବ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର