ଇରାକସ୍ଥିତ ଦୂତାବାସ ସୁରକ୍ଷା ପାଇଁ ସିଆର୍‌ପିଏଫ୍‌ ମୁତୟନ କରିପାରେ ଭାରତ

ନୂଆଦିଲ୍ଲୀ: ଯୁଦ୍ଧ ବିକ୍ଷତ ଇରାକ୍‌ରେ ଅବସ୍ଥିତ ଭାରତୀୟ ଦୂତାବାସର ସୁରକ୍ଷା ନିମନ୍ତେ ସେଣ୍ଟ୍ରାଲ୍‌ ପାରାମିଲିଟାରି ଫୋର୍ସର କମାଣ୍ଡୋଙ୍କୁ ମୁତୟନ କରିବାକୁ ଭାରତ ପ୍ରସ୍ତୁତି ହେଉଛି। ସେଠାକାର ଭାରତୀୟ ଦୂତାବାସ ଉପରେ ଇସ୍‌ଲାମିକ୍‌ ଷ୍ଟେଟ୍‌, ଅଲ୍‌ କାଏଦା ଏବଂ ଅନ୍ୟାନ୍ୟ ଆତଙ୍କବାଦୀ ସଙ୍ଗଠନର ଆକ୍ରମଣ ଆଶଙ୍କା ରହିଛି।

ପ୍ରଥମେ ଜଣେ କମାଣ୍ଡାଣ୍ଟ୍‌ସ୍ତରୀୟ ଅଧିକାରୀଙ୍କ ଅଧୀନରେ ଉତ୍ତମ ପ୍ରଶିକ୍ଷଣ ପ୍ରାପ୍ତ କମାଣ୍ଡୋଙ୍କର ଏକ ୪୫ ଜଣିଆ କଣ୍ଟିଜେଣ୍ଟ୍‌ ବାଗଦାଦସ୍ଥିତ ଦୂତାବାସ ଏବଂ କୂଟନୀତିଜ୍ଞଙ୍କ ସୁରକ୍ଷା ପାଇଁ ମୁତୟନ କରାଯିବେ। ଯଦି ଆବଶ୍ୟକ ହୁଏ ପରେ ଆହୁରି କମାଣ୍ଡୋ ପଠାଯିବ।

୨୦୦୪ରେ ଭାତରୀୟ ଦୂତାବାସ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଥିଲା। ସମ୍ଭାବ୍ୟ ଆତଙ୍କ ଆକ୍ରମଣର ଆଶଙ୍କା ରହିଛି ବୋଲି ର’ ଏବଂ ଅନ୍ୟାନ୍ୟ ସେଣ୍ଟ୍ରାଲ୍‌ ଏଜେନ୍‌ସି ସୂଚନା ଦେଇଛନ୍ତି। ସିଆର୍‌ପିଏଫ୍‌ କମାଣ୍ଡୋମାନେ ଦୂତାବାସ, କୂଟନୈତିକ କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଆତଙ୍କ ଆକ୍ରମଣରୁ ସୁରକ୍ଷା ଦେବେ।

ଏଥିପାଇଁ ଖୁବ୍‌ ଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର