ନୂଆଦିଲ୍ଲୀ: ଚୀନ୍ ସହ ଭାରତର ତିକ୍ତତା ଲାଗି ରହିଥିବାବେଳେ ଭାରତ ମହାସାଗର ସହିତ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ରେ ନଜର ରଖିବା ପାଇଁ ଭାରତ ଆମେରିକାରୁ ଏମକ୍ୟୁ-୯ବି ଡ୍ରୋନ୍ କିଣିବାକୁ ଯାଉଛି । ୩ ବିଲିୟନ ଡଲାରରୁ ଅଧିକ ମୂଲ୍ୟରେ ୩୦ଟି ଏମକ୍ୟୁ-୯ବି ପ୍ରିଡେଟର ସଶସ୍ତ୍ର ଡ୍ରୋନ୍ କିଣିବା ପାଇଁ ଭାରତ ଆମେରିକା ସହିତ କଥାବାର୍ତ୍ତା ଶେଷ ପର୍ଯ୍ୟାୟରେ ପହଞ୍ଚିଛି | ଦୀର୍ଘ ସମୟ ଧରି ଆକାଶରେ ଉଡିପାରୁଥିବା ଏହି ଡ୍ରୋନଗୁଡିକୁ ତିନି ସେନାବାହିନୀ ପାଇଁ କିଣାଯାଉଛି | ଏହି ଡ୍ରୋନଗୁଡିକ ସମୁଦ୍ର ଉପରେ ନଜର, ଶତ୍ରୁକୁ ଟାର୍ଗେଟ୍ ସହିତ ବିଭିନ୍ନ କାର୍ଯ୍ୟ କରିବାକୁ ସକ୍ଷମ |
ଉଲ୍ଲେଖ ଥାଉ କି ଗତ ମାସରେ କାବୁଲରେ ଅଲ-କାଏଦା ନେତା ଆୟମାନ ଅଲ-ଜୱାହିରିକୁ ହତ୍ୟା କରିଥିବା ହେଲ୍ଫାୟାର୍ ଆର୍୯ଏକ୍ସ କ୍ଷେପଣାସ୍ତ୍ରକୁ ନିକ୍ଷେପ କରିବା ପାଇଁ ଏହି ଡ୍ରୋନକୁ ହିଁ ବ୍ୟବହାର କରାଯାଇଥିଲା | ମିଳିଥିବା ସୂଚନା ମୁତାବକ ଆମେରିକାର ପ୍ରତିରକ୍ଷା କମ୍ପାନି 'ଜେନେରାଲ ଆଟୋମିକ୍ସ' ଦ୍ୱାରା ନିର୍ମିତ ଡ୍ରୋନଗୁଡିକର କ୍ରୟ ପାଇଁ ନୂଆଦିଲ୍ଲୀ ଏବଂ ୱାଶିଂଟନ୍ ମଧ୍ୟରେ ଆଲୋଚନା ଚାଲିଛି। ଜେନେରାଲ୍ ଆଟୋମିକ୍ସ ଗ୍ଲୋବାଲ୍ କର୍ପୋରେସନ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଡକ୍ଟର ବିବେକ ଲାଲ କହିଛନ୍ତି ଯେ ଦୁଇ ସରକାରଙ୍କ ମଧ୍ୟରେ ଆଲୋଚନା ଶେଷ ପର୍ଯ୍ୟାୟରେ ଅଛି।
ଏହି ଡ୍ରୋନ୍ କ୍ରୟ ପାଇଁ ଭାରତୀୟ ନୌସେନା ପ୍ରସ୍ତାବ ଦେଇଥିଲା ଏବଂ କିଣାଯିବା ପରେ ତିନି ସେନାବାହିନୀକୁ ୧୦ଟି ଲେଖାଏଁ ଡ୍ରୋନ୍ ମିଳିବାର ସମ୍ଭାବନା ରହିଛି। ଏହି ରିମୋଟ-ଚାଳିତ ଡ୍ରୋନ୍ ୩୫ ଘଣ୍ଟା ପର୍ଯ୍ୟନ୍ତ ଆକାଶରେ ରହିବାକୁ ସକ୍ଷମ ହୋଇଥିବାବେଳେ ଏହା ନୀରିକ୍ଷଣ, ଗୁପ୍ତ ତଥ୍ୟ ସଂଗ୍ରହ ଏବଂ ଶତ୍ରୁଙ୍କୁ ଧ୍ବଂସ କରିବା ସହିତ ଅନେକ ଉଦ୍ଦେଶ୍ୟରେ ନିୟୋଜିତ ହୋଇପାରିବ |