ନୂଆଦିଲ୍ଲୀ: ବିଜେପିକୁ କ୍ଷମତା ଠାରୁ ଦୂରରେ ରଖିବା ପାଇଁ ବିରୋଧୀ ଦଳଗୁଡ଼ିକ ଇଣ୍ଡିଆ ମେଣ୍ଟ ଗଠନ କରିଛନ୍ତି। ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ସମେତ ୨୮ଟି ବିଭିନ୍ନ ସମଭାବାପନ୍ନ ରାଜନୈତିକ ଦଳର ଏହା ମିଳିତ ମେଣ୍ଟ। ଇତିମଧ୍ୟରେ ତିନିଥର ବୈଠକ ହୋଇସାରିଛି। କଂଗ୍ରେସ ଇଣ୍ଡିଆ ମେଣ୍ଟରେ ପ୍ରମୁଖ ଭୂମିକାରେ ରହିଛି। କେଉଁ ରାଜ୍ୟରେ କିଭଳି ଢଙ୍ଗରେ ଆସନ ବୁଝାମଣା କରିବ, ସେ ସଂକ୍ରାନ୍ତ ନିଷ୍ପତ୍ତି ହୋଇନାହିଁ। ମେଣ୍ଟରେ ସାମିଲ ଦଳ ଓ ନେତା ୫ ରାଜ୍ୟର ବିଧାନସଭା ନିର୍ବାଚନରେ ବ୍ୟସ୍ତ ଥିବାରୁ ଆସନ ବୁଝାମଣାକୁ ନେଇ କୌଣସି ବିଚାରବିମର୍ଶ କରିନାହାନ୍ତି।

Advertisment

ରାଜନୀତି ସମୀକ୍ଷକଙ୍କ କହିବା ଅନୁସାରେ, ୫ ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ ଇଣ୍ଡିଆ‌ ମେଣ୍ଟର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଣ୍ଣୟ କରିବ। ରାଜନୈତିକ ମହଲରେ ଯାହା ଚର୍ଚ୍ଚା ହେଉଛି ୫ ବିଧାନସଭା ନିର୍ବାଚନ ଫଳାଫଳ ପରେ ଇଣ୍ଡିଆ ମେଣ୍ଟର ଦିଲ୍ଲୀରେ ବୈଠକ ହେବ। ‌୨୦୨୪ ଲୋକସଭା ନିର୍ବାଚନରେ ରାଜ୍ୟୱାରି ଆସନ ବୁଝାମଣା ନେଇ ବିଚାର ଆଲୋଚନା ହୋଇପାରେ। କେଉଁ ରାଜ୍ୟର କେଉଁ ଆସନରେ କିଭଳି ସ୍ଥିତି ରହିଛି, କେତୋଟି ଆସନରେ ବୁଝାମଣା କରାଯାଇପାରିବ ସେ ନେଇ ବୈଠକରେ ଚିତ୍ର ଉପସ୍ଥାପନ କରିବେ। ପରବର୍ତ୍ତୀ ଆଲୋଚନା ସମୟରେ ରାଜ୍ୟୱାରୀ ସ୍ଥିତି ସଂପର୍କରେ ଗୋଟିଏ ସ୍ପଷ୍ଟ ଚିତ୍ର ଆସିପାରିବ। ଓଡ଼ିଶାରେ ୨୦୧୯ ଭଳି ୨୦୨୪ରେ ତ୍ରିକୋଣୀୟ ଲଢ଼େଇ ସମ୍ଭାବନା ଥିବାରୁ ଏଠାରେ ମଧ୍ୟ ଆସନ ବୁଝାମଣା ସମ୍ଭାବନା ରହିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳୁଛି।

୨୦୧୯ ସାଧାରଣ ନିର୍ବାଚନରେ ଦେଶରେ ବିରୋଧୀ ମେଣ୍ଟ ହୋଇ ନଥିଲା। ମାତ୍ର ସେବେ କଂଗ୍ରେସ ଓଡ଼ିଶାରେ ତିନିଟି ଦଳ ସହିତ ବୁଝାମଣା କରିଥିଲା ଓ ୨୧ଟି ଲୋକସଭା ଆସନରୁ ତିନିଟି ଆସନ ଅନ୍ୟ ଦଳକୁ ଛାଡ଼ିଦେଇଥିଲା। ଭୁବନେଶ୍ବର ଆସନରେ ସିପିଏମ୍‌, ଆସ୍କାରେ ସିପିଆଇ ଏବଂ ମୟୂରଭଂଜରେ ‌ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚ‌ା ସହିତ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲା କଂଗ୍ରେସ। ନିଜେ ୧୮ଟି ଆସନରେ ଲଢ଼ି ଗୋଟିଏ ଆସନରେ ବିଜୟୀ ହୋଇଥିଲା। ୧୧ ପ୍ରାର୍ଥୀ ସେମାନଙ୍କର ଅମାନତ ହରାଇଥିଲେ। ଅନ୍ୟପକ୍ଷେ ଆସନ ବୁଝାମଣା ଅନ୍ତର୍ଗତ ପ୍ରତିଦ୍ବନ୍ଦ୍ବିତା କରିଥିବା ସମସ୍ତ ତିନିଟି ଆସନରେ କୌଣସି ପ୍ରାର୍ଥୀ ନିର୍ବାଚନ ଜିତିପାରି ନଥିଲେ। ଏସମସ୍ତ ସ୍ଥିତିକୁ ବିଚାରକୁ ନେବା ସହିତ କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟରେ ସାମିଲ ଥିବା ତୃଣମୂଳ କଂଗ୍ରେସ, ବାମପନ୍ଥୀ ଦଳ, ଜେଏମ୍‌ଏମ୍‌, ଆପ୍‌, ଆର୍‌ଜେଡି ଭଳି ଦଳଗୁଡ଼ିକର ଓଡ଼ିଶାରେ ପ୍ରଭାବ ସଂପର୍କରେ ମଧ୍ୟ ଆସନ ବୁଝାମଣା ଆଲୋଚନାବେଳେ ଚର୍ଚ୍ଚା ହୋଇପାରେ। ଅତଏବ ଓଡିଶାରେ ୨୦୨୪ ଲୋକସଭା ନିର୍ବାଚନରେ ଆସନ ବୁଝାମଣାକୁ ନେଇ ଇଣ୍ଡିଆ ମେଣ୍ଟ କେଉଁ ଫର୍ମୁଲା ଆପଣାଇବ ତାହା ଉପରେ ଏବେ ନଜର ରହିଛି।