ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସରକାର କୋଭିଡ୍‌-୧୯ ମହାମାରୀକୁ ସଫଳତାର ସହ ପରିଚାଳନା କରିଥିବା ଦାବି କରିଛନ୍ତି। ଏଥି ସହ ପ୍ରତ୍ୟେକ ଯୁବକଯୁବତୀ ଆତ୍ମବିଶ୍ବାସୀ ଓ ଆତ୍ମନିର୍ଭରଶୀଳ ହେବା ଉପରେ ଜୋର ଦେଇଛନ୍ତି। ଓପନ ମାଗାଜିନକୁ ସାକ୍ଷାତ୍‌କାର ଦେଇ ମୋଦୀ କହିଲେ ଯେ, ପ୍ରତ୍ୟେକ ଯୁବକ-ଯୁବତୀଙ୍କ ପାଖରେ ସୁଯୋଗ ଅଛି, ଯାହାଦ୍ବାରା ସେମାନେ ଆତ୍ମବିଶ୍ବାସର ସହ ଆତ୍ମନିର୍ଭରଶୀଳ ହୋଇପାରିବେ। ନିଜର ଅଭିଳାଷ ପୂରଣ କରିପାରିବେ ଏବଂ ମର୍ଯ୍ୟାଦାର ସହ ନିଜ ଗୋଡ଼ରେ ନିଜେ ଠିଆ ହୋଇପାରିବେ। କୋଭିଡ୍‌-ପରିଚାଳନା ବିଷୟରେ କହିଲେ ଯେ, କୋଭିଡ୍‌-୧୯ ବିଶ୍ବ ପ୍ରତି ଏକ ଅଭିଶାପ। ଏହାର ମୁକାବିଲା କରିବାରେ ଭାରତ ଅନେକ ବିକାଶଶୀଳ ଓ ବିକଶିତ ଦେଶଠାରୁ ମଧ୍ୟ ଭଲ ପ୍ରଦର୍ଶନ କରିଛି। ଟିକାକରଣରେ ଆମର ସଫଲତା ପାଇଁ ବିଶ୍ବ ଆମକୁ ପ୍ରଶଂସା କରୁଛି ଏବଂ ଏଥିରେ ଆମେ ଆତ୍ମନିର୍ଭରଶୀଳ ହୋଇପାରିଛୁ ବୋଲି ମୋଦୀ କହିଥିଲେ।