ମହିଳାଙ୍କ ଲାଗି ଭାରତ ପୃଥିବୀର ସବୁଠାରୁ ଅସୁରକ୍ଷିତ ଓ ବିପଜ୍ଜନକ ଦେଶ : ସର୍ଭେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧୀଙ୍କ ସମାଲୋଚନା

ଲଣ୍ଡନ୍‌ : ଦେଶରେ ଦୁଷ୍କର୍ମ ଓ ମହିଳାଙ୍କ ଉପରେ ହିଂସା କମୁ ନ ଥିବା ବେଳେ ବେଡ଼ି ଉପରେ କୋରଡା ଭଳି ପରିସ୍ଥିତି ସୃଷ୍ଟି କରିଛି ଏକ ଅନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ କରାଯାଇଥିବା ସର୍ଭେ।  ଏହି ସର୍ଭେ ଅନୁସାରେ  ଭାରତ ହେଉଛି ମହିଳାଙ୍କ ଲାଗି ସବୁଠାରୁ ବିପଦଜନକ ଦେଶ। ଭାରତରେ ମହିଳାମାନେ ଆଦୌ ସୁରକ୍ଷିତ ନୁହନ୍ତି।  ଇଂଲଣ୍ଡର ଥମ୍‌ସନ୍‌ ରଏଟର୍ସ ଫାଉଣ୍ଡେସନ୍‌ ପକ୍ଷରୁ କରାଯାଇଥିବା ଏକ ସର୍ଭେ ଏପରି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣଇଛି । ପୃଥିବୀରେ ମହିଳାଙ୍କ ଦୁସ୍ଥିତି ନେଇ କରାଯାଇଥିବା ଏହି ସର୍ଭେରେ  ଭାରତ ପ୍ରଥମ ସ୍ଥାନରେ ଥିବାବେଳେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି ଆଫଗାନିସ୍ତାନ୍‌ ଓ  ସିରିଆ। ସେହିପରି  ସୋମାଲିଆ ଓ ସାଉଦୀ ଆରବ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମରେ ଅଛନ୍ତି।  ଆଶ୍ଚର୍ଯ୍ୟଜନକ କଥା ହେଲା ପ୍ରଥମ ଥର ଲାଗି ଏହି ତାଲିକାରେ ପ୍ରଥମ ୧୦ ରାଷ୍ଟ୍ର ମଧ୍ୟରେ  ସ୍ଥାନ ପାଇଛି ଆମେରିକା। କେଉଁ ଦେଶରେ ମହିଳାମାନେ  କେତେ ମାତ୍ରାରେ  ଯୌନ ନିର୍ଯାତନା ଓ ହିଂସାର ଶିକାର ଏବଂ ମହିଳାଙ୍କ ସ୍ଥିତି କିଭଳି ତାହାକୁ ଆଧାର କରି ଫାଉଣ୍ଡେସନ୍‌ ପକ୍ଷରୁ ସର୍ଭେ ଆଧାରରେ ଏହି ତାଲିକା ପ୍ରକାଶ କରାଯାଇଛି।
oneindia.com
ଥମ୍‌ସନ୍‌ ଫାଉଣ୍ଡେସନ୍‌ର ସର୍ଭେ ଅନୁସାରେ ଭାରତ ହେଉଛି ମହିଳାମାନଙ୍କ ଲାଗି ପୃଥବୀର ସବୁଠାରୁ ଅସୁରକ୍ଷିତ ରାଷ୍ଟ୍ର। ମହିଳାମାନଙ୍କ ଉପରେ ଯୌନ ନିର୍ଯାତନା, ମହିଳାଙ୍କୁ ଯୌନଦାସୀ ଭାବେ  ବ୍ୟବହାର କରିବା,ସେମାନଙ୍କୁ ଦେହ ବ୍ୟବସାୟରେ ଲିପ୍ତ କରାଇବା, ବଳପୂର୍ବକ ବିବାହ କରାଇବା ଇତ୍ୟାଦି ସମସ୍ୟା ସମ୍ବନ୍ଧିତ ପ୍ରଶ୍ନ ପଚରା ଯାଇ ବିଶ୍ୱବ୍ୟାପି ଏହି ସର୍ଭେ କରାଯାଇଥିଲା। ଏଥିରେ ଅଂଶ ଗ୍ରହଣ କରିଥିବା ଅଧିକାଂଶ ମହିଳା ସବୁଦୃଷ୍ଟିରୁ ଭାରତ ସବୁଠାରୁ ଅସୁରକ୍ଷିତ ଓ ବିପଦପୂର୍ଣ୍ଣ ରାଷ୍ଟ୍ର ବୋଲି ମତ ଦେଇଥିବା ଜଣାପଡ଼ିଛି।
ତେବେ ଏହି ସର୍ଭେର  ନିଷ୍କର୍ଷକୁ  ନେଇ  କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ କୌଣସି ମନ୍ତବ୍ୟ ପ୍ରକାଶ କରି ନାହିଁ। ମହିଳାଙ୍କୁ  ଦେହ ବ୍ୟବସାୟ ଲାଗି ଚଲାଣ କରିବା କ୍ଷେତ୍ରରେ ମଧ୍ୟ ଭାରତ ପ୍ରଥମ ତିନି ସ୍ଥାନ ଭିତରେ ରହିଛି। ଲିବିୟା ଓ ମିଆଁମାର ସହ ଭାରତ ତାଲିକାରେ ସାମିଲ୍‌ ଅଛି। ଉଲ୍ଲେଖଯୋଗ୍ୟ କି ,ମାନବ ଚାଲାଣ କାରବାରର ବାର୍ଷିକ ହିସାବ ୧୫୦ ବିଲିଅନ୍‌ ଡଲାର୍‌ରୁ ଅଧିକ।

ତେବେ ଏହି ସର୍ଭେକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧୀ।  ରାହୁଲ  ଏକ ଟ୍ଵିଟ୍‌ କରି କହିଛନ୍ତି ଏଣେ ଆମ ପ୍ରଧାନମନ୍ତ୍ରୀ ତାଙ୍କ ବଗିଚାରେ ଯୋଗାଭ୍ୟାସ କରି ଭିଡିଓ ବନାଉଛନ୍ତି, ତେଣେ ମହିଳାମାନଙ୍କ ଲାଗି ଅସୁରକ୍ଷିତ ଦେଶ ତାଲିକାରେ ଭାରତ ଆଫଗାନିସ୍ତାନ, ସିରିଆ ଓ ସାଉଦୀଆରବକୁ ପଛରେ ପକାଇ ଏକ ନମ୍ବର ସ୍ଥାନରେ ରହୁଛି। ଏହା ଦେଶ ପାଇଁ ଏକ ଲଜ୍ଜା।
ସମ୍ବନ୍ଧିତ ଖବର