ସୀମାରେ ଚୀନର କାର୍ଯ୍ୟକଳାପକୁ ନଜରରେ ରଖି ପୂର୍ବ ଲଦାଖରେ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀ ମୁତୟନ କଲା ଭାରତ

ନୂଆଦିଲ୍ଲୀ: ପ୍ରକୃତ ନିୟନ୍ତ୍ରଣ ରେଖାରେ ଚୀନର ଯୁଦ୍ଧ ବିମାନ ଏବଂ ହେଲିକପ୍ଟରର ଗତିବିଧିକୁ  ନଜରରେ ରଖି ଭାରତୀୟ ସଶସ୍ତ୍ର ବାହିନୀ ନିଜର ଉନ୍ନତ ଦ୍ରୁତ ପ୍ରତିକ୍ରିୟାଶୀଳ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀକୁ ପୂର୍ବ ଲଦାଖ ଅଞ୍ଚଳରେ ନିୟୋଜିତ କରିଛି । ଚୀନ୍ ବାୟୁସେନା ପିପୁଲ୍ସ ଲିବରେସନ୍ ଆର୍ମି ପକ୍ଷରୁ କୌଣସି ପ୍ରକାରର ଆକ୍ରମଣର ଜବାବ ଦେବା ପାଇଁ ଉଭୟ ଭାରତୀୟ ସେନା ଏବଂ ଭାରତୀୟ ବାୟୁସେନାର ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀକୁ ଲଦାଖ ଅଞ୍ଚଳରେ ନିୟୋଜିତ କରାଯାଇଛି।

ଗତ ଦୁଇ ସପ୍ତାହ ମଧ୍ୟରେ, ଚୀନ୍ ସୈନ୍ୟମାନେ ଭାରତୀୟ ସୀମା ନିକଟକୁ ଆସିବା ସହିତ ସୁଖୋଇ-୩୦ ଭଳି ଭାରୀ ତଥା ଅତ୍ୟାଧୁନିକ ଯୁଦ୍ଧ ବିମାନ ଭାରତ-ଚୀନ ସୀମାବର୍ତ୍ତୀ ଅଞ୍ଚଳରେ ପଇଁତରା ମାରୁଛି। ଭାରତ-ଚୀନ୍ ସୀମାରୁ ମାତ୍ର ୧୦କିଲୋମିଟର ଦୂରତା ବଜାୟ ରଖି ଯୁଦ୍ଧବିମାନ ଉଡ଼ିଥିବାର ଦେଖାଯାଇଛି। ଏହାପରେ ଭାରତ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ସୂତ୍ରରୁ ପ୍ରକାଶ ଯେ, ଗତ କିଛି ଦିନ ମଧ୍ୟରେ ଚୀନର ଲଢ଼ୁଆ ହେଲିକପ୍ଟର ଭାରତର ପ୍ରକୃତ ନିୟନ୍ତ୍ରଣ ରେଖାଠାରେ ବୁଲୁଥିବାର ଦେଖାଯାଇଛି | ସବ୍ ସେକ୍ଟର ଉତ୍ତର (ଦୌଲତ ବେଗ ଓଲି ସେକ୍ଟର), ପାଟ୍ରୋଲିଂ ପଏଣ୍ଟ ୧୪ ନିକଟରେ ଥିବା ଗଲୱାନ ଉପତ୍ୟକା, ପାଟ୍ରୋଲିଂ ପଏଣ୍ଟ ୧୫, ପାଟ୍ରୋଲିଂ ପଏଣ୍ଟ ୧୭ ଏବଂ ୧୭ଏ (ହଟ ସ୍ପ୍ରିଙ୍ଗ୍ସ) ସମେତ ସମସ୍ତ ଅସୁବିଧାଜନକ ସେକ୍ଟରରେ ଚୀନର ଲଢ଼ୁଆ ହେଲିକପ୍ଟର ଉଡ଼ୁଥିବାର ଦେଖାଯାଇଛି | ଚୀନର ଏଭଳି କାର୍ଯ୍ୟକଳାପକୁ ଦେଖି ଭାରତ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି |

ସମ୍ବନ୍ଧିତ ଖବର