ଆମେରିକାର ବିରୋଧ ସତ୍ତ୍ୱେ ଭାରତ ରୁଷ୍‌ରୁ ଆଣିବ କ୍ଷେପଣାସ୍ତ୍ର ଏସ୍‌-୪୦୦

ନୂଆଦିଲ୍ଲୀ: କଟକଣା ଲାଗୁ କରିବ ବୋଲି ଯୁକ୍ତରାଷ୍ଟ୍ର ଆମେରିକା ଧମକ ଦେବା ସତ୍ତ୍ୱେ ଭାରତ ଖୁବ୍‌ ଶୀଘ୍ର ରୁଷ୍‌ରୁ ୫ଟି ଏସ୍‌-୪୦୦ ଟ୍ରମ୍ଫ୍‌ ଏୟାର୍‌ ଡିଫେନ୍ସ୍‌ ମିସାଇଲ୍‌ ସିଷ୍ଟମ୍‌ ଆଣିବାକୁ ଯାଉଛି। ପ୍ରସ୍ତାବିତ ଏହି ୩୯୦୦୦ କୋଟି ଟଙ୍କାର କାରବାର ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ କାଗଜ ପତ୍ର ଅନୁମୋଦନ କରିସାରିଲାଣି।

ବିଶେଷ ସୂତ୍ରରୁ ପ୍ରକାଶ ଗୁରୁବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଡିଫେନ୍‌ସ୍‌ ଆକ୍ୟୁଇଜିସନ୍‌ କାଉନ୍‌ସିଲ୍‌ ଏହି କାରବାରରେ ଥିବା ସାମାନ୍ୟ ତାରତମ୍ୟକୁ ଅନୁମୋଦନ କରିଛନ୍ତି।

ଏସ୍‌-୪୦୦ ଖରିଦ ମାମଲା ଏବେ ଅନୁମୋଦନ ପାଇଁ ଅର୍ଥମନ୍ତ୍ରାଳୟକୁ ଯିବା ପରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ନିରାପତ୍ତା ବିଭାଗ କ୍ୟାବିନେଟ୍‌ କମିଟି ଏହା ଉପରେ ଚୂଡ଼ାନ୍ତ ସମ୍ମତି ପ୍ରଦାନ କରିବେ।

ଏସ୍‌-୪୦୦ କ୍ଷେପଣାସ୍ତ୍ର ୪୦୦ କିଲୋମିଟର୍‌ ଦୂର ଏବଂ ୩୦ କିଲୋମିଟର୍‌ ଉଚ୍ଚରେ ଉଡୁଥିବା ଶତ୍ରୁ ପକ୍ଷର ଲଢୁଆ ଷ୍ଟିଲ୍‌ଦ୍‌ ଫାଇଟର୍‌, ସ୍ପାଏ ପ୍ଲେନ୍‌, ମିସାଇଲ୍‌ ଏବଂ ଡ୍ରୋନ୍‌ ଆଦିକୁ ଠାବ କରିବା ସହ ତାକୁ ଅନୁସରଣ କରି ନଷ୍ଟ କରିଦେବ।

୨୦୧୬ ଅକ୍ଟୋବର ମାସରେ ଗୋଆ ଠାରେ ଅନୁଷ୍ଠିତ ହୋଇଥିବା ମୋଦି-ପୁଟିନ୍‌ ଶିଖର ବୈଠକରେ ୫ଟି ଏସ୍‌-୪୦୦ ସିଷ୍ଟମ୍‌ ଖରିଦ କରିବାକୁ ଦୁଇ ସରକାର ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଥିଲା। ଏବେ ଭାରତ ଏବଂ ରୁଷ୍‌ ଏହି ଚୁକ୍ତିର ପୂର୍ଣ୍ଣାଙ୍ଗ ରୂପ ଦେବାକୁ ଯାଉଥିବା ବେଳେ ଏଥିରେ ଆଉ ଅଗ୍ରଗତି ନ କରିବାକୁ ଓ୍ଵାସିଂଟନ୍‌ ନୂଆଦିଲ୍ଲୀକୁ ଚେତାଇ ଦେଇଛି।

ସମ୍ବନ୍ଧିତ ଖବର