ନୂଆଦିଲ୍ଲୀ: ଭାରତ ଓ ମିଆଁମାର ସୀମାରେ ଗତ ୩୬ ଘଣ୍ଟା ମଧ୍ୟରେ ୬ଥର ଭୂକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୮ରୁ ୪.୫ ମଧ୍ୟରେ ଥିଲା। ଯାହାକି ସାମାନ୍ୟ ଠାରୁ ମଧ୍ୟମ ମଧ୍ୟରେ ରହିଥିଲା। ଥରେ କି ଦୁଇଥର ନୁହେଁ ଗତ ୩୬ଘଣ୍ଟା ମଧ୍ୟରେ ୬ଥର ଭୂକମ୍ପର ଝଟକା ଅନୁଭୂତ ହୋଇଥିଲେ ମଧ୍ୟ ସୌଭାଗ୍ୟବଶତଃ ଏଥିରେ କାହାରି କିଛି କ୍ଷତି ହୋଇନାହିଁ।
ଭୂକମ୍ପର ଶେଷ ଝଟକା ମଙ୍ଗଳବାର ସକାଳ ୧୧.୩୧ ମିନିଟରେ ଅନୁଭୂତ ହୋଇଥିଲା। ଗତ ମାର୍ଚ୍ଚ ୨୮ ତାରିଖରେ ମିଆଁମାରରେ ଶକ୍ତିଶାଳୀ ଭୂକମ୍ପ ହୋଇଥିଲା। ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୭ ରହିଥିଲା। ଦୁଃଖର ବିଷୟ ଏଥିରେ ୩୭୦୦ରୁ ଅଧିକ ଲୋକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।
ତେବେ ଆସନ୍ତୁ ଜାଣିବା ୦ରୁ ୦୯ ମଧ୍ୟରେ ଭୂକମ୍ପର ତୀବ୍ରତା ଥିଲେ କ’ଣ କ’ଣ ହୋଇଥାଏ।
ରିକ୍ଟର ସ୍କେଲରେ ୦ରୁ ୧.୦ ମଧ୍ୟରେ ଭୂକମ୍ପର ତୀବ୍ରତା ରହିଲେ ଏହା କେବଳ ସିସମୋଗ୍ରାଫରେ ଜଣାପଡ଼ିଥାଏ। ସେହିପରି ୨ରୁ ୨.୯ ମଧ୍ୟରେ ରହିଲେ ସାମାନ୍ୟ କମ୍ପନ, ୩ରୁ ୩,୯ ମଧ୍ୟରେ ରହିଲେ ଯେପରି ପାଖଦେଇ ଏକ ଟ୍ରକ ଚାଲିଗଲା ଭଳି ଅନୁଭବ ହୋଇଥାଏ।
୪ରୁ ୪.୯ ଓ ୫ରୁ ୫.୫୯ ମଧ୍ୟରେ ତୀବ୍ରତା ଥିବା ଭୂକମ୍ପ ଅନୁଭୂତ ହେଲେ ଘର ଦୋହଲିବା ସହିତ ଘରେ ଥିବା ସାମଗ୍ରୀସବୁ ତଳେ ପଡ଼ିବା ଆରମ୍ଭ କରିଥାଏ।
୬ରୁ ୬.୯ ମଧ୍ୟରେ ତୀବ୍ରତା ଥିବା ଭୂକମ୍ପର ଝଟକାରେ ଘରର କାନ୍ଥ ଫାଟି ଯାଇଥାଏ। ଉଚ୍ଛ କୋଠା କ୍ଷତିଗସ୍ତ ହୋଇପାରେ। ସେହିପରି ୭ରୁ ୭.୦, ୮ରୁ ୮.୯ତୀବ୍ରତା ଭୂକମ୍ପକୁ ଶକ୍ତିଶାଳୀ ଭୂକମ୍ପ କୁହାଯାଏ। ଏହି ଭୂକମ୍ପରେ ଘର ଭାଙ୍ଗିବା ସହିତ ମାଟିତଳେ ଥିବା ପାଇପଲାଇନ ଫାଟିଯାଇଥାଏ, ବଡ଼ବଡ଼ ପୋଲ ଭୁଶୁଡ଼ି ପଡ଼ିଥାଏ।
ଶେଷରେ ୯ତୀବ୍ରତାର ଭୂକମ୍ପ। ଏଭଳି ଭୂକମ୍ପ ଆସିଲେ ଆଖିପିଛୁଳାକେ ସବୁକିଛି ଧ୍ବଂସ କରି ଦେଇଥାଏ। ସମୁଦ୍ର ପାଖରେ ଥିଲେ ସୁନାମୀ ବି ଆସିବାାର ଅନେକ ସମ୍ଭାବନା ରହିଥାଏ।