ନୂଆଦିଲ୍ଲୀ : ଭାରତ ଏବଂ ନାମିବ୍ୟା ମଧ୍ୟରେ ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ଦୀର୍ଘସ୍ଥାୟୀ ଜୈବବିବିଧତାର ଉପଯୋଗ କ୍ଷେତ୍ରରେ ସହଯୋଗ ନିମନ୍ତେ ଆଜି ଏକ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣା ପତ୍ର ଅନୁସାରେ ଭାରତର ଐତିହାସିକ ରେଞ୍ଜରେ ଚିତାବାଘ ପ୍ରକଳ୍ପର ଶୁଭାରମ୍ଭ କରାଯିବ। ଏହି ବୁଝାମଣାପତ୍ରରେ ଥିବା ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ହେଲା:

Advertisment

ଉଭୟ ରାଷ୍ଟ୍ରର ଯେଉଁସବୁ ଅଞ୍ଚଳରେ ପୂର୍ବରୁ ଚିତାବାଘ ବସବାସ କରୁଥିଲେ ଏବଂ ବର୍ତ୍ତମାନ ସେମାନେ ସେଠାରୁ ଲୋପ ପାଇଯାଇଛନ୍ତି ସେହିସବୁ ସ୍ଥାନରେ ସେମାନଙ୍କର ପୁନଃସଂସ୍ଥାପନ ଏବଂ ସଂରକ୍ଷଣ ଉପରେ ଗୁରୁତ୍ୱ ଆରୋପ ପୂର୍ବକ ଜୈବବିବିଧତାର ସୁରକ୍ଷା ଦିଗରେ ଦୁଇଦେଶ କାର୍ଯ୍ୟ କରିବେ। ଦୁଇ ଦେଶରେ ଚିତାବାଘଙ୍କ ବିକାଶ ଏବଂ ସେମାନଙ୍କ ସଂରକ୍ଷଣ ଦିଗରେ ଉଭୟ ରାଷ୍ଟ୍ର ନିଜ ନିଜର ବିଶେଷ ଜ୍ଞାନ ଏବଂ କ୍ଷମତା ପରସ୍ପର ମଧ୍ୟରେ ବାଣ୍ଟିବେ। ଉତ୍ତମ କାର୍ଯ୍ୟାନ୍ୱୟନ ମାଧ୍ୟମରେ ଦୁଇ ଦେଶ ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ଦୀର୍ଘସ୍ଥାୟୀ ଜୈବବିବିଧତାର ଉପଯୋଗ କ୍ଷେତ୍ରରେ ସହଭାଗୀ ହେବେ। ଜୈବବିବିଧତାର ସଂରକ୍ଷଣ ନିମନ୍ତେ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ, ବନ୍ୟପ୍ରାଣୀଙ୍କ ଆବାସସ୍ଥଳୀ କ୍ଷେତ୍ରରେ ବସବାସ କରିଆସୁଥିବା ଲୋକଙ୍କ ନିମନ୍ତେ ଜୀବନଜୀବିକା ବ୍ୟବସ୍ଥା ସୃଷ୍ଟି କରିବା। ଜଳବାୟୁ ପରିବର୍ତ୍ତନ, ପର୍ଯ୍ୟାବରଣ ଜନିତ ପ୍ରଭାବର ଆକଳନ, ପ୍ରଦୂଷଣ ଓ ବର୍ଜ୍ୟ ପରିଚାଳନା ଆଦି ପ୍ରସଙ୍ଗରେ ମିଳିତ ସହଯୋଗ ଆଧାରରେ କାର୍ଯ୍ୟ କରିବା। ଭାରତରେ ଚିତାବାଘମାନଙ୍କୁ ପୁଣି ଫେରାଇ ଆଣିବା ମଧ୍ୟ ସଂରକ୍ଷଣ ଦୃଷ୍ଟିରୁ ମହତ୍ତ୍ୱପୂର୍ଣ୍ଣ। ଚିତାବାଘଙ୍କ ପୁନଃବିକାଶ ମୂଳ ଚିତାବାଘଙ୍କ ଆବାସସ୍ଥଳୀ ସଂରକ୍ଷଣର ଏକ ପ୍ରୋଟୋଟାଇପ୍‌ର ଅଂଶବିଶେଷ ହେବ ଏବଂ ଏହା ସେମାନଙ୍କ ଜୈବବିବିଧତାର ସୁରକ୍ଷା ଦିଗରେ କାର୍ଯ୍ୟ କରିବ। ଏହା ଦେଶରୁ ଦ୍ରୁତ ହ୍ରାସ ପାଉଥିବା ଜୈବବିବିଧତାର ସଂରକ୍ଷଣ ପାଇଁ ମଧ୍ୟ ସହାୟକ ହେବ।

ଏହି ପରିପ୍ରେକ୍ଷୀରେ ୨୦୧୦ ଠାରୁ ୨୦୧୨ ମସିହା ମଧ୍ୟରେ ୧୦ଟି ସ୍ଥାନରେ ସର୍ଭେ କାର୍ଯ୍ୟ ସଂପାଦନ କରାଯାଇଛି। ଭାରତରେ ଚିତାବାଘଙ୍କ ପୁନର୍ବିକାଶ ନିମନ୍ତେ ଏହିସବୁ ସମ୍ଭାବ୍ୟ ସ୍ଥାନମାନ ଆଇୟୁସିଏନ୍ ଗାଇଡ଼ଲାଇନ୍ ଅନୁସାରେ ନିର୍ଦ୍ଧାରଣ କରାଯାଇଛି। ସେହିସବୁ ସ୍ଥାନ ପୂର୍ବରୁ ଚିତାବାଘଙ୍କ ସଂଖ୍ୟା, ଆନୁବଂଶିକ ବିଜ୍ଞାନ ଏବଂ ସାମାଜିକ-ଆର୍ଥିକ ଦୃଷ୍ଟିରୁ ଅନ୍ୟାନ୍ୟ ପ୍ରାଣୀମାନଙ୍କ ସହିତ ସେମାନଙ୍କର ସଂଗ୍ରାମ ଆଦି ଆଧାରରେ ନିର୍ଦ୍ଧାରଣ କରାଯାଇଛି। ମଧ୍ୟପ୍ରଦେଶର କୁନୋ ଜାତୀୟ ପ୍ରାଣୀ ଉଦ୍ୟାନ ଚିତାବାଘଙ୍କୁ ସ୍ୱାଗତ କରିବା ନିମନ୍ତେ ପ୍ରସ୍ତୁତ ହୋଇ ରହିଛି। ଏଠାରେ ଚିତାବାଘଙ୍କ ପୁନର୍ବିକାଶ ସକାଶେ ସର୍ବନିମ୍ନ ପରିଚାଳନାଗତ ଅର୍ଥ ବ୍ୟୟ କରିବାକୁ ପଡ଼ିବ; କାରଣ, ଏହି ସଂରକ୍ଷଣ କ୍ଷେତ୍ରରେ ଏସୀୟ ସିଂହଙ୍କ ପୁନର୍ବିକାଶ କାର୍ଯ୍ୟକ୍ରମ ନିମନ୍ତେ ପର୍ଯ୍ୟାପ୍ତ ଅର୍ଥ ବ୍ୟୟ କରାଯାଇସାରିଛି।