ନୂଆଦିଲ୍ଲୀ: ସୋମବାର ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲେ। ସେ ସାଂଘାଇ ସହଯୋଗ ସଂଗଠନ (ଏସସିଓ ଶିଖର ସମ୍ମିଳନୀ) ସମୟରେ ପୁଟିନଙ୍କୁ ଭେଟିଥିବା ଦେଖାଯାଇଥିଲା। ଦୁଇ ନେତାଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହା ଦେଖି ଆମେରିକା ସହିପାରୁନଥିବା ଜଣାଯାଇଛି। ଟ୍ରମ୍ପଙ୍କ ବାଣିଜ୍ୟ ପରାମର୍ଶଦାତା ପିଟର ନବାରୋ ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଭାରତ ରୁଷ ସହିତ ନୁହେଁ, ଆମେରିକା ସହିତ ରହିବା ଉଚିତ।

Advertisment

'ଫ୍ରି ପ୍ରେସ୍ ଜର୍ଣ୍ଣାଲ୍'ର ରିପୋର୍ଟ ଅନୁଯାୟୀ ପିଟର ନବାରୋ କହିଛନ୍ତି, "ଭାରତ ରୁଷ ସହିତ ନୁହେଁ, ଏବେ ଆମ ସହିତ ରହିବା ଉଚିତ। ପ୍ରଧାନମନ୍ତ୍ରୀ ମୋଦୀ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହିତ କାମ କରୁଛନ୍ତି, ଏହା ଠିକ୍ ନୁହେଁ।" ଏସସିଓ ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜିନପିଙ୍ଗଙ୍କ ସହିତ ମଧ୍ୟ ଦେଖାଯାଇଥିଲା। ଦୁଇ ଶକ୍ତିଶାଳୀ ଦେଶର ମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଖି ଆମେରିକା ବିଚଳିତ ହୋଇଥିବା ଜଣାଯାଇଛି। ଏହା ପିଟର ନବାରୋଙ୍କ ବୟାନରୁ ସ୍ପଷ୍ଟ ହୋଇଛି।

ପିଟର ନବାରୋ ଭାରତ ଉପରେ ଅତିରିକ୍ତ ଶୁଳ୍କ ଉପରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, "ଭାରତ ସହିତ ଆମର ଦୁଇ ପ୍ରକାରର ସମସ୍ୟା ଅଛି ଏବଂ ଏହି କାରଣରୁ ଶୁଳ୍କ ଲଗାଯାଇଛି। ପ୍ରଥମତଃ, ଭାରତ ଅନୁଚିତ ବାଣିଜ୍ୟ କରୁଛି। ଏହି କାରଣରୁ, ୨୫ ପ୍ରତିଶତ ଶୁଳ୍କ ଲଗାଯାଇଛି ଏବଂ ଦ୍ୱିତୀୟତଃ, ଏହା ରୁଷରୁ ତେଲ କିଣୁଛି। ଏହି କାରଣରୁ ଅତିରିକ୍ତ ୨୫ପ୍ରତିଶତ ଶୁଳ୍କ ଲଗାଯାଇଛି।"

ଖବର ମିଳିଥିଲା ଯେ, ଶିଖର ସମ୍ମିଳନୀ ପରେ ଦ୍ବିପାକ୍ଷୀକ ଆଲୋଚନା ପାଇଁ ପୁଟିନ୍-ମୋଦୀ ଗୋଟିଏ କାର୍‌‌ରେ ବୈଠକସ୍ଥଳରେ ପହଞ୍ଚିଥିଲେ। ମୋଦୀଙ୍କ ଆସିବାରେ ଟିକେ ବିଳମ୍ବ ହେବାରୁ କାର୍‌ରେ ତାଙ୍କ ପାଇଁ ୧୦ମିନିଟ୍‌ ଅପେକ୍ଷା କରିଥିଲେ ପୁଟିନ୍। ଏହି ଖବର ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ପୁଟିନ୍-ମୋଦୀଙ୍କ ନିବିଡ଼ ବନ୍ଧୁତା ଦେଖି ସହିପାରୁନି ଆମେରିକା।