ଚୀନ୍‌ ସୀମା ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି: ସେନାମୁଖ୍ୟ ନରବଣେ

ନୂଆଦିଲ୍ଲୀ : ଭାରତ ଏବେ ଚୀନ୍‌ ସୀମା ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଅତୀତରେ ଭାରତ ପଶ୍ଚିମ ସୀମା ଉପ‌ରେ ଅଧିକ ଧ୍ୟାନ ଦେଇଛି। ତେଣୁ ଉତ୍ତର ପାର୍ଶ୍ବକୁ ମଧ୍ୟ ସମାନ ପରିମାଣରେ ଧ୍ୟାନ ଦେବାକୁ ପଡ଼ିବ ବୋଲି ନୂ୍ଆ ସେନାମୁଖ୍ୟ ଜେନେରାଲ ଏମଏମ୍‌ ନରବଣେ କହିଛନ୍ତି। ଜେନେରାଲ ନରବଣେ ସେନାମୁଖ୍ୟ ଭାବେ ଗାର୍ଡ ଅଫ୍‌ ଅନର ପାଇବା ପରେ ଗଣମାଧ୍ୟମରେ ଟିପ୍ପଣୀ ରଖି କହିଛନ୍ତି ଯେ ସେନାବାହିନୀ ଦେଶ ପ୍ରତି ଥିବା ଯେକୌଣସି ବିପଦର ମୁକାବିଲା କରିପାରିବ। ଦକ୍ଷତା ବୃଦ୍ଧି କ୍ଷେତ୍ରରେ ମଧ୍ୟ କାମ ଜାରି ରହିଛି ଏବଂ ‌ଯେକୌଣସି ପ୍ରକାର ଚ୍ୟାଲେଂଜ ସାମ୍ନା କରିବାପାଇଁ ସେନା ପ୍ରସ୍ତୁତ ବୋଲି ନରବଣେ କହିଛନ୍ତି। ଚୀନ୍‌ ସହ ଥିବା ସୀମା ବିବାଦ ପ୍ରସଙ୍ଗରେ ମନ୍ତବ୍ୟ ରଖି ନରବଣେ କହିଛନ୍ତି, ସୀମାରେ ଲଗାତାର ଶାନ୍ତି ହିଁ ସମାଧାନର ବାଟ ଫିଟାଇବ। ସୀମାରେ ଆମେ ଶାନ୍ତି ଓ ସ୍ଥିରତା ବଜାୟ ରଖିଛୁ ଏବଂ ଏହି ସ୍ଥିତି ଜାରି ରହିବ ବୋଲି ନରବଣେ କହିଛନ୍ତି। ନରବଣେଙ୍କ ନେତୃତ୍ବରେ ସେନାବାହିନୀରେ ଦୁଇଟି ଦିଗ ପ୍ରତି ବିଶେଷ ଗୁରୁତ୍ବ ଦିଆଯିବ ଏବଂ ତାହା ହେଉଛି ଅପରେସନାଲ୍‌ ରେଡିନେସ୍‌ ଏବଂ ଆଧୁନିକୀକରଣ। ଭାରତୀୟ ସେନା ମାନବ ଅଧିକାରକୁ ସମ୍ମାନ ଦେବା କ୍ଷେତ୍ରରେ ସ୍ବତନ୍ତ୍ର ଧ୍ୟାନ ରଖେ ବୋଲି ନରବଣେ କହିଛନ୍ତି। ନବବର୍ଷ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା‌ ଜଣାଇ ନରବଣେ କହିଛନ୍ତି ଯେ ଦେଶ ଆସନ୍ତା ଦଶନ୍ଧି ମଧ୍ୟରେ ବହୁତ ଆଗକୁ ଯିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର